ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଚାଲିଥିବା ଭାରତୀୟ ଜାତୀୟ କଂଗ୍ରେସର ୮୪ତମ ମହାଅଧିବେଶନର ଆଜି ଦ୍ୱିତୀୟ ଦିନରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇଭିଏମ୍ ବଦଳରେ ବାଲଟ ପେପରରେ ନିର୍ବାଚନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁସ୍ଥ ଗାଣତନ୍ତ୍ରିକ ନିର୍ବାଚନ ପାଇଁ ନିର୍ବାଚନ କମିସନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବଦଳରେ ଚିରାଚରିତ ପେପର ବାଲଟ ବ୍ୟବସ୍ଥା ଲାଗୁ କରିବାକୁ ସୋନିଆ ଦାବି କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଅନୁଗାମୀମାନେ କଂଗ୍ରେସକୁ ପ୍ରତାରଣା ଦେବାରେ କୌଣସି ପ୍ରକାର ସୁଯୋଗ ହାତଛଡ଼ା କରୁନାହାନ୍ତି ବୋଲି ସୋନିଆ କହିଛନ୍ତି। ତେବେ ଏଥିରେ କଂଗ୍ରେସ ଆଦୌ ଭୟଭୀତ ହୋଇନାହିଁ ଏବଂ ଦଳ ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତିକୁ ଲୋକଲୋଚନକୁ ଆଣିବାର ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଅଧିବେଶନରେ ସୋନିଆ ଉଦ୍ବୋଧନ ଦେଇ ଦଳକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ପ୍ରତିଜ୍ଞାବଦ୍ଧ ହେବାକୁ ପଡ଼ିବ ବୋଲି କହିଛନ୍ତି। କଂଗ୍ରେସ ଏକ ଦଳ ନୁହେଁ ବରଂ ଦେଶ ଉନ୍ନତିର ଏକ ଚିନ୍ତାଧାରା। ତେଣୁ କଂଗ୍ରେସର ବିଜୟ ହେଲେ ତାହା ଦେଶର ବିଜୟ ହେବ। ଦଳୀୟ କର୍ମକର୍ତ୍ତାମାନେ ସବୁ ପ୍ରକାରର ସଂଘର୍ଷ ଏବଂ ବଳିଦାନ କରିଆସିଛନ୍ତି ଏବଂ କରି ଆସୁଛନ୍ତି ବୋଲି ସୋନିଆ କହିଛନ୍ତି। ଅଧିବେଶନରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଏବଂ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମେତ ସମର୍ଥକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ୨୦୧୯ ନିର୍ବାଚନ ପାଇଁ ସମାନ ଚିନ୍ତାଧାରା ପୋଷଣ କରୁଥିବା ବିରୋଧୀ ଗୋଷ୍ଠୀଙ୍କୁ ଏକତ୍ରିତ କରି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରକୁ ହରାଇବା ପାଇଁ ମହାଅଧିବେଶନରେ ଏକ ପ୍ରସ୍ତାବ ଆଗତ ହୋଇଛି। ଏଥିରେ ଆର୍ଏସ୍ଏସ୍ ତଥା ବିଜେପି ଦେଶରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କୁହାଯାଇଛି।
ବାଲଟ ପେପରରେ ନିର୍ବାଚନ ହେଉ
ଦ୍ୱିତୀୟ ଦିନରେ କଂଗ୍ରେସର ମହାଅଧିବେଶନ
/sambad/media/post_attachments/wp-content/uploads/2018/03/inc-plenary-session-delhi-india_18004bac-29f0-11e8-a8dd-98cd3615fcfa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)