କୋଭିଡ୍‌-୧୯ ମଧ୍ୟରେ ନିର୍ବାଚନ: ବଢ଼ିଲା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା

ନୂଆଦିଲ୍ଲୀ: କୋଭିଡ୍‌- ୧୯ ମହାମାରୀ ମଧ୍ୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚର ସୀମା (ସିଲିଂ)କୁ ୧୦% ବୃଦ୍ଧି କରାଯାଇଛି। ନିର୍ବାଚନ ଆୟୋଗର ସୁପାରିସ୍‌ ଆଧାରରେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାରଙ୍କର ଏହି ନିଷ୍ପତ୍ତିର ଫାଇଦା ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ସମେତ ଦେଶର ଗୋଟିଏ ଲୋକସଭା ଏବଂ ୫୯ଟି ବିଧାନସଭା ଆସନରେ ଉପ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ପାଇ ପାରିବେ।

ଉଲ୍ଲେଖଯୋଗ୍ୟ, କୋଭିଡ ମହାମାରୀ ସମୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ୧୦% ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗ ସୁପାରିସ୍‌ କରିଥିଲେ। ମହାମାରୀ ମଧ୍ୟରେ ରାଲି ଆୟୋଜନ କରିବା ସହିତ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ପ୍ରକାରର କୋଭିଡ୍‌-୧୯ ପ୍ରତିବନ୍ଧକ ମଧ୍ୟରେ ପ୍ରାର୍ଥୀମାନେ ପ୍ରଚାରରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଧ୍ୟାନରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୁପାରିସ୍‌ କରା ଯାଇଥିଲା।

ଏହି ନୂତନ ନିଷ୍ପତ୍ତି ଫଳରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀ ବର୍ତ୍ତମାନ ତାଙ୍କର ନିର୍ବାଚନ ପ୍ରଚାର ପାଇଁ ସର୍ବାଧିକ ୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହା ୭୦ ଲକ୍ଷ ଥିଲା। ସେହିପରି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀ ବର୍ତ୍ତମାନ ତାଙ୍କର ନିର୍ବାଚନ ପ୍ରଚାର ପାଇଁ ସର୍ବାଧିକ ୩୦.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହା ୨୮ ଲକ୍ଷ ଥିଲା।

ଏହା ପୂର୍ବରୁ ଶେଷ ଥର ପାଇଁ ୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କର ନିର୍ବାଚନୀ ଖର୍ଚ୍ଚ ସିଲିଂକୁ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର