ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପୂର୍ବରୁ ସୀମାର ପୁନଃନିର୍ଦ୍ଧାରଣ କରିବା ଭୁଲ ହେବ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ଗତକାଲି ଜମ୍ମୁ-କଶ୍ମ‌ୀରରେ ପ୍ରଥମେ ସୀମାର ପୁନଃନିର୍ଦ୍ଧାରଣ ଓ ପରେ ରାଜ୍ୟ ମାନ୍ୟତା ଦେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏହାକୁ ବିରୋଧ କରିବା ସହ ପ୍ରଥମେ ଜମ୍ମୁ-କଶ୍ମ‌ୀରକୁ ରାଜ୍ୟ ମାନ୍ୟତା ଦେଇ ପରେ ସୀମାର ପୁନଃନିର୍ଦ୍ଧାରଣ କରାଯାଉ ବୋଲି କେନ୍ଦ୍ରକୁ କହିଛନ୍ତି। ପ୍ରଥମେ ସୀମାର ପୁନଃନିର୍ଦ୍ଧାରଣ କରିବା କେନ୍ଦ୍ରର ବଡ଼ ଭୁଲ ହେବ ବୋଲି ସେ କହିଛନ୍ତି।

ତାଙ୍କ କହିବା ମୁତାବକ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଶ୍ମୀରର ନେତାମାନଙ୍କୁ ତାଙ୍କ ବାସଭବନକୁ ନିମନ୍ତ୍ରଣ କରିଥିଲେ, ମୁଁ ଦାବି କରିଥିଲି ଯେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଥମେ ଦିଆଯାଉ ବୋଲି ଚାହୁଁଛୁ, ତା’ପରେ ନିର୍ବାଚନ ହେଲେ ଚଳିବ। ଅନ୍ୟ ଦଳ ମଧ୍ୟ ଏହି ଦାବି କରିଥିଲେ। ମୁଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କହିଥିଲି ଯେ ରାଜ୍ୟକୁ ପ୍ରଥମେ ଦୁଇ ଭାଗରେ ବିଭକ୍ତ କରାଯିବା ଉଚିତ ନୁହେଁ। ହେଲେ ଏବେ ଗୃହମନ୍ତ୍ରୀ ଠିକ ଓଲଟା କରିବାକୁ ଘୋଷଣା କରିଛନ୍ତି। ପ୍ରଥମେ ସୀମାର ପୁନଃନିର୍ଦ୍ଧାରଣ କରିବା ଏବଂ ପରେ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଭୁଲ୍ ହେବ।

ଗତକାଲି ଜମ୍ମୁ ଓ କଶ୍ମୀରର ୟୁଥ କ୍ଲବର ସଦସ୍ୟମାନଙ୍କ ସହିତ କଥା ହୋଇ ଶାହ କହିଥିଲେ ଯେ, ଆମେ କାହିଁକି ସୀମା ପୁନଃନିର୍ଦ୍ଧାରଣ ବନ୍ଦ କରିବୁ? ଏବେ କଶ୍ମୀରରେ କିଛି ବନ୍ଦ ହେବ ନାହିଁ | ଜମ୍ମୁ ଓ କଶ୍ମୀରରେ ଏବେ ନିର୍ବାଚନ ହେବ | ନିର୍ବାଚନ ପରେ ପ୍ରଥମେ ସୀମା ପୁନଃନିର୍ଦ୍ଧାରଣ ହେବ ଏବଂ ପରେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ, ଯାହାଦ୍ୱାରା କଶ୍ମୀରର ଯୁବକଯୁବତୀମାନେ ବିଭିନ୍ନ ସୁଯୋଗ ପାଇବାରୁ ବଞ୍ଚିତ ହେବେ ନାହିଁ । ଏବେ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ।

ସମ୍ବନ୍ଧିତ ଖବର