୧୯ଟି ରାଜ୍ୟସଭା ଆସନ ନିମନ୍ତେ ଆଜି ୮ଟି ରାଜ୍ୟରେ ନିର୍ବାଚନ

ନୂଆଦିଲ୍ଲୀ: ଆଜି ସକାଳ ୯ଟାରେ ୧୯ଟି ରାଜ୍ୟସଭା ଆସନ ନିମନ୍ତେ ଆଜି ୮ଟି ରାଜ୍ୟରେ ନିର୍ବାଚନ କରାଯିବ। ଏହି ୧୯ଟି ରାଜ୍ୟସଭା ଆସନରୁ ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରୁ ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ୩ଟି ଲେଖାଏଁ, ଝାଡ଼ଖଣ୍ଡରୁ ୨ଟି ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟରୁ ୧ଟି ଲେଖାଏଁ ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯିବ।

କରୋନାଭାଇରସ୍ ସଂକ୍ରମଣ ଏବଂ ସେଥିପାଇଁ ଘୋଷିତ ଲକ୍‌ଡାଉନ୍‌ ଯୋଗୁଁ ଏହି ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ମାର୍ଚ ୨୬ ତାରିଖ ଦିନ ଏହି ନିର୍ବାଚନ ଅନୁଷ୍ଠିତ ହୋଇ ଥାଆନ୍ତା। କିନ୍ତୁ, ମାର୍ଚ ୨୪ ତାରିଖ ଦିନ ନିର୍ବାଚନ କମିସନ୍ ଏହାକୁ ସ୍ଥଗିତ କରିଥିଲେ। ନିର୍ବାଚନ କମିସନ୍‌ଙ୍କ ପୂର୍ବ ଘୋଷଣା ଅନୁସାରେ, ଆଜି ସନ୍ଧ୍ୟାବେଳେ ଭୋଟ୍ ଗଣନା ଆରମ୍ଭ ହେବ।

କରୋନାଭାଇରସ୍ ମହାମାରୀ ପ୍ରତି ଧ୍ୟାନ ଦେଇ ନିର୍ବାଚନ କମିସନ୍ ମତଦାନ ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରିଛି। ପ୍ରତି ଭୋଟ୍‌ଦାତାଙ୍କ ଶରୀରର ତାପମାତ୍ରା ମପାଯିବ। ସେମାନେ ମାସ୍କ୍‌ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ। ଜ୍ବର କିଂବା ଅନ୍ୟ କୌଣସି ଉପସର୍ଗ ବାହାରିଥିବା ବିଧାୟକମାନଙ୍କୁ ପୃଥକ୍ ପ୍ରତୀକ୍ଷାଗୃହରେ ରଖାଯିବ।

Image Courtesy of India Today

ଗୁଜରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ହେବାକୁ ଥିବା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ତୀବ୍ରତର ହେବ। ଶାସକ ମେଣ୍ଟରୁ ୯ଜଣ ବିଧାୟକ ଇସ୍ତଫା ଦେଇଥିବାରୁ ମଣିପୁରରେ ନିର୍ବାଚନ କୌତୂହଳପୂର୍ଣ୍ଣ ହୋଇପାରେ। ସେଠାରେ ବିରୋଧୀ କଂଗ୍ରେସ ଏନ୍‌. ବୀରେନ୍ ସିଂହ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଚାପ ପକାଉଛି। ସେଠାରେ ବିଜେପି ମଣିପୁରର ନାମମାତ୍ର ରାଜା ଲେଇସେମ୍ବା ସାନାଜାଓବାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଟି ମାଙ୍ଗି ବାବୁଙ୍କୁ ପ୍ରାର୍ଥୀ କରିଛି।

କର୍ଣ୍ଣାଟକରେ ସମସ୍ତ ୪ଜଣଯାକ ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ବୋଲି ଘୋଷଣା ହୋଇସାରିଛି। ସେମାନେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା, ବର୍ଷିୟାନ୍ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ, ବିଜେପି ନେତା ଇରାନ୍ନା କଡ଼ାଡ଼ି ଏବଂ ଅଶୋକ ଗସ୍ତି।

ମଧ୍ୟପ୍ରଦେଶରେ କଂଗ୍ରେସ ପ୍ରାର୍ଥୀ ଫୁଲ୍ ସିଂହ ବରାୟାଙ୍କ ପାଇଁ ନିର୍ବାଚନ ଜିଣିବା କଠିନ ହୋଇପାରେ। କିନ୍ତୁ, ମୁକାବିଲା ପାଇଁ କଂଗ୍ରେସ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଦିଗ୍‌ବିଜୟ ସିଂହ ଗୋଟିଏ ଆସନ ହାସଲ କରିବ‌େ ବ‌ୋଲି କୁହାଯାଉଛି।

ସମ୍ବନ୍ଧିତ ଖବର