ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାରେ ‘ଚୟନାତ୍ମକ ଗୋପନୀୟତା’ ରହିଛି କାରଣ ଷ୍ଟେଟ୍ ବ୍ୟାଙ୍କରୁ ବଣ୍ଡ୍ କିଣୁଥିବା ଲୋକମାନଙ୍କ ବିଷୟରେ ସାଧାରଣ ଲୋକ ଜାଣିବାର ସୁବିଧା ନ ଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ତଥ୍ୟ ପାଇବାରେ କୌଣସି ବାଧା ନାହିଁ ବୋଲି ଏହି ମାମଲା ଉପରେ ଶୁଣାଣିର ଦ୍ବିତୀୟ ଦିନରେ ସୁପ୍ରିମ୍କୋର୍ଟ କହିଛନ୍ତି।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ- ଧରାଯାଉ ମୁଁ ‘ଏ’ ଦଳକୁ ଦେଲି ଓ ‘ବି’ ଦଳ ସରକାର ଗଠନ କଲା, ତା’ହେଲେ ସେମାନଙ୍କ ଦ୍ବାରା ପୀଡ଼ିତ (ଭିକ୍ଟିମାଇଜ) ହେବା ନେଇ ଆଶଙ୍କା ରହିପାରେ। ତେଣୁ ନିରାପଦ ଉପାୟ ହେଲା ନଗଦ ଆକାରରେ ଟଙ୍କା ଦେବା। ଏହାଦ୍ବାରା ଲୋକର ସତ୍ ଧନ କଳାଧନରେ ପରିବର୍ତ୍ତିତ ହୋଇଯାଏ ଏବଂ ଅର୍ଥନୀତି ପାଇଁ ଏହା କ୍ଷତିକାରକ ବୋଲି ମେହେଟ୍ଟା କହିଥିଲେ। ସେଥିପାଇଁ ବେନାମୀ ଦାନର ଆବଶ୍ୟକତା ରହିଛି। ଏହାଦ୍ବାରା ମୁଁ ଦାନ ଦେଇଥିବା ଦଳ କ୍ଷମତାକୁ ନ ଆସିଲେ ଶାସକ ଦଳ ଦ୍ବାରା ମୁଁ ପୀଡ଼ିତ (ଭିକ୍ଟିମାଇଜ୍) ହେବାର ଭୟ ରହିବ ନାହିଁ ବୋଲି ସେ କହିଥିଲେ। ଏହାର ଉତ୍ତରରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଯୋଜନାରେ ଗୋଟିଏ ସମସ୍ୟା ହେଉଛି ‘ଚୟନାତ୍ମକ ଗୋପନୀୟତା’।
ଏହା ଏସ୍ବିଆଇ ପାଖରେ ଗୋପନୀୟ ନୁହେଁ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ପାଖରେ ଗୋପନୀୟ ନୁହେଁ। ସେ ପୁଣି କହିଥିଲେ, ବର୍ତ୍ତମାନର ଆଇନ ଅନୁସାରେ ଗୋଟିଏ କମ୍ପାନିକୁ ଦେଖାଇବାକୁ ପଡ଼ିବ, ଏହା ମୋଟ କେତେ ଟଙ୍କା ଦାନ କରିଛି (ତାହା କୌଣସି ନିର୍ଦ୍ଦିଷ୍ଟ ଦଳକୁ ନ ହେଉ ପଛେ)। ଯେହେତୁ ସେହି ବିବରଣୀ କମ୍ପାନିର ବାଲାନ୍ସ ସିଟ୍ରେ ରହୁଛି, ତେଣୁ ଯେକୌଣସି ଦଳ ଜାଣିପାରେ, ତାଙ୍କ ଦଳକୁ କମ୍ପାନିରୁ କେତେ ଦାନ ମିଳିଛି। କୋର୍ଟ କହିଥିଲେ ଯେ, ରାଜନୈତିକ ପାଣ୍ଠିକୁ ଅଧିକ ଧଳା ଟଙ୍କା ଆଣିବାରେ ଏହି ପ୍ରକ୍ରିୟା ସହାୟକ ହେଲେ ମଧ୍ୟ ଏହା ଭିତରେ ଏକ ‘ସୂଚନା ଛିଦ୍ର’ ଥିବା ପରି ମନେହୁଏ। ଉଦ୍ଦେଶ୍ୟ ପ୍ରଶଂସନୀୟ କିନ୍ତୁ ଆପଣ (ସରକାର) ଆନୁପାତିକ ଉପାୟ ଅବଲମ୍ବନ କରୁଛନ୍ତି କି ବୋଲି କୋର୍ଟ ପଚାରିଥିଲେ। କୋର୍ଟ କହିଥିଲେ, ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆପଣ (ସରକାର) ଗୋପନୀୟତା ରଖୁଛନ୍ତି, କିନ୍ତୁ ନିର୍ବାଚିତ (ସିଲେକ୍ଟିଭ୍) ଗୋପନୀୟତା କାହିଁକି? କାରଣ କ୍ଷମତାରେ ଥିବା ଲୋକ ଦାତାଙ୍କ ତଥ୍ୟ ଜାଣିପାରୁଛି। ସରକାର ଯୁକ୍ତି କରିଥିଲେ ଯେ, ଗୋପନୀୟତା ବ୍ୟତିରେକେ ‘ଭିକ୍ଟିମାଇଜେସନ’ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ।