କୋଟା: କୋଟା ସକତୌରା ଠାରେ ଆଜି ପୂର୍ବାହ୍ଣ ୧୧ଟା ୩୦ମିନିଟରେ ଅନୁଷ୍ଠିତ ମହାଶିବରାତ୍ରୀ ଶୋଭାଯାତ୍ରାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୪ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କୁନହାରି ଥାନା ଅନ୍ତର୍ଗତ ସକତୌରା ଠାରେ ଆଜି ମହାଶିବରାତ୍ରୀ ଅବସରରେ ‘ଶିବ ବରଯାତ୍ରୀ’ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କାଳୀ ବସ୍ତିର ଲୋକମାନେ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ମୁଣ୍ଡରେ କଳସ ଧରି ଅପେକ୍ଷା କରିଥିଲେ। ସେମାନଙ୍କ ସହ ଜଣେ ନାବାଳକ ପତାକା ବନ୍ଧାଯାଇଥିବା ୨୦-୨୨ ଫୁଟ ଲମ୍ବା ଏକ ବାଉଁଶ ଧରିଥିଲା।
ଉପରେ ଯାଇଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ତାହା ଆସିଯିବାରୁ ସେଠାରେ ଥିବା ଅନ୍ୟ ଶିଶୁମାନେ ପ୍ରଭାବିତ ହୋଇଥିଲେ। କୋଟାର ଆରକ୍ଷୀ ଅଧୀକ୍ଷକ ଅମ୍ରିତା ଦୁହାନ୍ କହିଛନ୍ତି ଯେ ଆହତ ହୋଇଥିବା ସମସ୍ତ ଶିଶୁ ୧୦ରୁ ୧୬ ବର୍ଷ ବୟସର ଅଟନ୍ତି। ଗୁରୁତର ଶିଶୁଙ୍କୁ ନିକଟସ୍ଥ ଏମ୍ବିଏସ୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯେଉଁ ନାବାଳକ ଜଣକ ବାଉଁଶ ନଳି ଧରିଥିଲା ତା’ର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ପ୍ରାଥମିକ ଅନୁସନ୍ଧାନରେ ମାଟି ଓଦା ଥିବାରୁ ଏହି ଅଘଟଣ ଘଟିଥିବା ଜଣାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜସ୍ଥାନ ଶକ୍ତିମନ୍ତ୍ରୀ ହୀରାଲାଲ ନାଗର ଚିକିତ୍ସାଳୟରେ ପହଞ୍ଚି ଆହତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବୁଝିବା ସହ ସେମାନଙ୍କ ପରିବାରକୁ ଭେଟିଛନ୍ତି।