ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର ବାଧ୍ୟତାମୂଳକ କରାଯିବା ଉଚିତ: କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ

ନୂଆଦିଲ୍ଲୀ: ଉଭୟ ଇନ୍ଧନ ଓ ଅର୍ଥର ସଞ୍ଚୟ ଲକ୍ଷ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନର ବ୍ୟବହାର ବାଧ୍ୟତାମୂଳକ କରାଯିବା ଉଚିତ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ପରାମର୍ଶ ଦେଇଛନ୍ତି। ଏଥିସହ ସେ ତାଙ୍କ ବିଭାଗର ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର କରିବା ବାଧ୍ୟତାମୂଳକ କରିବେ ବୋଲି ଶକ୍ତି ମନ୍ତ୍ରୀ ଆର କେ ସିଂଙ୍କୁ ଅନୁରୋଧ କରିଛନ୍ତି।

ସରକାରୀ ମନ୍ତ୍ରାଳୟ ଏବଂ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର ବାଧ୍ୟତାମୂଳକ କରିବା ସହ ପରିବାରମାନଙ୍କୁ ରନ୍ଧନ ଗ୍ୟାସ କିଣିବା ପାଇଁ ସହାୟତା (ସବସିଡି) ଦେବା ପରିବର୍ତ୍ତେ ବୈଦ୍ୟୁତିକ ରନ୍ଧନ ଉପକରଣ କିଣିବା ପାଇଁ ସରକାର ସବସିଡି ଦେବା ଉଚିତ ବୋଲି ମଧ୍ୟ ସେ ମତ ଦେଇଛନ୍ତି।

ଗୋ ଇଲେକ୍ଟ୍ରିକ୍‌ ଅଭିଯାନରେ ଉଦବୋଧନ ଦେଇ ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି, ଆମେ କାହିଁକି ବୈଦ୍ୟୁତିକ ରନ୍ଧନ ଉପକରଣ ଉପରେ ସବସିଡି ପ୍ରଦାନ କରୁନାହୁଁ? ସେ କହିଛନ୍ତି ଯେ ବୈଦ୍ୟୁତିକ ରନ୍ଧନ ପରିଷ୍କାର ହେବ ଏବଂ ଗ୍ୟାସ ପାଇଁ ଆମଦାନୀ ର୍ନିଭରଶୀଳତା ମଧ୍ୟ ହ୍ରାସ ପାଇବ। ଇନ୍ଧନ ମୂଲ୍ୟ ବୃଦ୍ଧି ହେତୁ ବୈଦ୍ୟୁତିକ ଯାନ ପାଇଁ ବିକଳ୍ପ ଇନ୍ଧନ ପାଇଁ ସଡକ ପରିବହନ ମନ୍ତ୍ରାଳୟ ପଦକ୍ଷେପ ଗ୍ରହଣ କରିଛି ବୋଲି ନୀତୀନ ଗଡକରୀ କହିଛନ୍ତି।

ସେ କହିଛନ୍ତି ଯେ କେବଳ ଦିଲ୍ଲୀରେ ୧୦,୦୦ ବୈଦ୍ୟୁତିକ ଯାନ ବ୍ୟବହାର ଦ୍ୱାରା ମାସକୁ ୩୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ଏହି ଅବସରରେ ଶକ୍ତି ମନ୍ତ୍ରୀ ଆର କେ ସିଂହ ଘୋଷଣା କରିଛନ୍ତି ଯେ ଖୁବ୍‌ ଶୀଘ୍ର ଦିଲ୍ଲୀରୁ ଆଗ୍ରା ଏବଂ ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଏକ ବୈଦ୍ୟୁତିକ ବସ୍‌ ସେବା ଆରମ୍ଭ ହେବ।

ସମ୍ବନ୍ଧିତ ଖବର