ଦିଲ୍ଲୀରେ ଗୁରୁତର ବିଦ୍ୟୁତ ସଙ୍କଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଗତ କିଛି ମାସ ହେବ ଏଠାରେ ବିଦ୍ୟୁତ୍‌ ଉତ୍ପାଦନ ମଧ୍ୟ କମି ଯାଇଛି। ଏଭଳି ପରିସ୍ଥିତି ଲାଗି ରହିଲେ କୌଣସି ସମୟରେ ରାଜଧାନୀ ଦିଲ୍ଲୀ ସମ୍ପୂର୍ଣ୍ଣ ବ୍ଲାକ୍‌ ଆଉଟ(ଅନ୍ଧକାର) ହୋଇଯାଇପାରେ ବୋଲି ଦିଲ୍ଲୀ ବିଦ୍ୟୁତ ଯୋଗାଣ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି । ସେ ଏ ବାବଦରେ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଦିଲ୍ଲୀରେ ଥିବା ବିଭିନ୍ନ ତାପଜ ବିଦ୍ୟୁତ ଉତ୍ପାଦନକାରୀ ପ୍ଲାଣ୍ଟ୍‌ଗୁଡ଼ିକରେ ମହଜୁଦ କୋଇଲା କମିଯାଉଥିବାରୁ ବିଦ୍ୟୁତ ଉତ୍ପାଦନରେ ବାଧା ସୃଷ୍ଟି ହେଉଛି। ଦାଦର, ଝଜ୍ଜର ଓ ବାଦରପୁର ତାପଜ ବିଦ୍ୟୁତ ଉତ୍ପାଦନକାରୀ କେନ୍ଦ୍ର ଗୁଡ଼ିକରେ ପୂର୍ବରୁ ୨ ସପ୍ତାହର କୋଇଲା ଗଚ୍ଛିତ ରହୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଦିନେ କି ଦୁଇ ଦିନର କୋଇଲା ଗଚ୍ଛିତ ରହୁଛି। ମନ୍ତ୍ରୀଙ୍କ କହିବା ମୁତାବକ, ବିଗତ ୧୫ ଦିନରେ ଦିଲ୍ଲୀ ଏନସିଆର ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ କୋଇଲା ଆବଶ୍ୟକ ଠାରୁ ଯଥେଷ୍ଟ କମ୍‌ ଗଚ୍ଛିତ ରହିଛି।

ସମ୍ବନ୍ଧିତ ଖବର