ଲାହୋର: ପାକିସ୍ତାନ ଅର୍ଥନୀତି ଦୁର୍ଦ୍ଦିନ ଦେଇ ଗତି କରୁଛି। ଚାରିଆଡ଼ୁ ସଙ୍କଟ ମାଡ଼ି ଆସିଛି। ସେଠାରେ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେହି ସଙ୍କଟକୁ ଏଡ଼ାଇବା ଲାଗି ପାକିସ୍ତାନ ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସଙ୍କଟରୁ ଉଦ୍ଧାର କରିବା ଲାଗି ସେଠାକାର ସରକାର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଆଗରେ ଗୁହାରି କରୁଛି। ଚୀନ୍ ଓ ସାଉଦି ଆରବକୁ ମଧ୍ୟ ପାଣ୍ଠି ମାଗୁଛି। ଆଉ ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାରରେ ଦ୍ରୁତ ଅବନତି ହୋଇଛି। ତେବେ ଏହାରି ଭିତରେ ପାକିସ୍ତାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ସେଠାକାର ନାଗରିକ ଚିନ୍ତାରେ ପଡିଯାଇଛନ୍ତି | ବାସ୍ତବରେ ଶାହାବାଜ ସରିଫଙ୍କ ସରକାର ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟକା ଦେଇଛନ୍ତି | ପାକିସ୍ତାନ ସରକାର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଅନୁମୋଦନ କରିଛନ୍ତି |

Advertisment

ପାକିସ୍ତାନର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୟୁନିଟ୍ ସରଚାର୍ଜ ପ୍ରତି ୧ ଟଙ୍କା ବର୍ଦ୍ଧିତ ଦର ଲାଗୁ କରାଯାଇଛି। ଆଇଏମ୍ଏଫ୍ ଟିମ୍ ଚାଲିଯିବା ପରେ ଶୁକ୍ରବାର (ଫେବୃଆରୀ ୧୦) ରେ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଦାର୍ ଇସିସି(ଆର୍ଥିକ ସମନ୍ୱୟ ବୈଠକ)ରେ ଅଧ୍ୟକ୍ଷତା କରିଥିଲେ। ଆଉ ଏହାପରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ଘୋଷଣା କରିଥିଲେ | ସେହିପରି ପାକିସ୍ତାନର କୃଷକଙ୍କୁ ବିଦ୍ୟୁତ ଶୁଳ୍କରେ ମିଳୁଥିବା ସବସିଡିକୁ ମଧ୍ୟ ଉଠାଇ ଦିଆଯାଇଛି | ଉଲ୍ଲେଖ ଥାଉ କି କିଛିଦିନ ତଳେ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଥିଲେ । ଏହା ସହିତ କିରୋସିନର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା | ୩୫ ଟଙ୍କା ମୂଲ୍ୟ ବୃଦ୍ଧି ପରେ ପାକିସ୍ତାନରେ ହାଇ ସ୍ପିଡ୍ ଡିଜେଲ ଲିଟର ପିଛା ୨୬୨ ଟଙ୍କା ୮୦ ପଇସାରେ ପହଂଚିଥିବାବେଳେ ପେଟ୍ରୋଲ ଲିଟର ପିଛା ୨୪୯ ଟଙ୍କା ୮୦ ପଇସାରେ ପହଞ୍ଚିଥିଲା | ସେହିପରି କିରୋସିନ ଲିଟର ପିଛା ୧୮୯ ଟଙ୍କା ୮୩ ପଇସାରେ ପହଞ୍ଚିଥିଲା |