୧୯୫୦ରେ ୩ ହଜାର ଗାଁରେ ଥିଲା ବିଦ୍ୟୁତ, ଏବେ ଏତିକି ଗାଁରେ ଜଳୁଛି ବିଜୁଳି ବତୀ !

ନୂଆଦିଲ୍ଲୀ: ୭୫ ବର୍ଷର ସ୍ୱାଧୀନତା ପୂରା ହେବା ଉଦ୍ଦେଶ୍ୟରେ ଦେଶ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛି। ତେବେ ସ୍ୱାଧୀନତା ପରଠାରୁ ଭାରତରେ ବିଦ୍ୟୁତ୍ ଯୋଗାଣ ବିଷୟରେ ଯଦି କହିବା, ତେବେ ଆଜି ଦେଶର ପ୍ରତ୍ୟେକ ଘରେ ବିଦ୍ୟୁତ୍ ପହଞ୍ଚିଛି | ନିକଟରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ ଦେଶର ୧୦୦ ପ୍ରତିଶତ ଗ୍ରାମକୁ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହୋଇଛି। ଅର୍ଥାତ୍ ବର୍ତ୍ତମାନ ଜନଗଣନା ଅନୁଯାୟୀ ଦେଶର ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ୍ ପହଞ୍ଚିଛି। କିନ୍ତୁ ଆପଣ ଜାଣନ୍ତି କି ସ୍ୱାଧୀନତାର ତିନି ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହାରେ ବିଦ୍ୟୁତ୍ ଆମ ଦେଶର ମାତ୍ର ୩ ହଜାର ଗାଁରେ ପହଞ୍ଚିଥିଲା। ୧୯୫୦ ମସିହାରେ ୩ ହଜାର ଗାଁ ପରେ ଏହି ସଂଖ୍ୟା ୧୯୬୧ ମସିହାରେ ୨୧୭୫୪ ଗ୍ରାମକୁ ବୃଦ୍ଧି ପାଇଥିଲା।

୧୯୬୯ ମସିହାରେ ୭୩ ହଜାର ୭୩୯ ଗାଁ ବିଦ୍ୟୁତ ଆଲୋକରେ ଆଲୋକିତ ହୋଇଥିଲା। ୧୯୮୦ରେ ଦେଶର ୨ ଲକ୍ଷ ୪୯ ହଜାର ୭୯୯ ଗାଁରେ ବିଦ୍ୟୁତ୍ ପହଞ୍ଚିଥିଲା। ସେହିଭଳି ୧୯୯୦ ପର୍ଯ୍ୟନ୍ତ ୪ ଲକ୍ଷ ୭୦ ହଜାର ୮୩୮ ଗାଁରେ ବିଦ୍ୟୁତ ପହଞ୍ଚିଥିଲା । ୨୦୦୨ ମସିହାରେ, ଭାରତର ୫ ଲକ୍ଷ ୧୨ ହଜାର ୧୫୩ଟି ଗାଁ ଆଲୋକିତ ହୋଇଥିବାବେଳେ ୨୦୨୨ ମସିହାରେ ଭାରତର ୫ ଲକ୍ଷ ୯୭ ହଜାର ୪୬୪ଟି ଗ୍ରାମକୁ ବିଦ୍ୟୁତ ଯୋଗାଣ କରାଯାଇଛି।

କେନ୍ଦ୍ର ସରକାରଙ୍କ ଅନୁଯାୟୀ ଦେଶର ୧୦୦ ପ୍ରତିଶତ ଗ୍ରାମରେ ବିଦ୍ୟୁତ୍ ପହଞ୍ଚିଛି। ତେବେ ଏହି ପଦକ୍ଷେପ ପାଇଁ କେନ୍ଦ୍ର ସରକାର ଏହାର ଶ୍ରେୟ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାକୁ ଦେଇଛନ୍ତି | ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ମାତ୍ରେ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା (DDUGJY) ଆରମ୍ଭ କରିଥିଲେ। ଭାରତର ଗ୍ରାମାଞ୍ଚଳରେ କୃଷି ଏବଂ ଅଣ କୃଷି ଗ୍ରାହକଙ୍କୁ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ ଥିଲା |

ସମ୍ବନ୍ଧିତ ଖବର