ନୂଆଦିଲ୍ଲୀ: ରାଜସ୍ଥାନର ବାଡମେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ଅଟାଚକିରେ ବିଦ୍ୟୁତ ଆଘାତ ଲାଗିବା ହେତୁ ୨ଜଣ ଶିଶୁଙ୍କ ସମେତ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇ ଯାଞ୍ଚ ଆରମ୍ଭ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ବାଡ଼ମେରର ଶିବଥାନା ଅଞ୍ଚଳସ୍ଥ ଆରଙ୍ଗ ଗ୍ରାମରେ ଘଟିଛି। ଏହି ଗ୍ରାମରେ ବସବାସ କରୁଥିବା ଅର୍ଜୁନ ସିଂହ ଘରେ ନଥିଲେ। ଏହି ସମୟରେ ଅର୍ଜୁନଙ୍କ ସ୍ତ୍ରୀ ଅଟା ପେଷଉଥିଲେ। ଏତିକି ବେଳେ ଅସାବଧାନତାବଶତଃ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ମା’ଙ୍କ ଡାକ ଶୁଣି ଦୁଇପିଲା ବି ଘରୁ ବାହାରି ଆସିଥିଲେ। ଆଉ ମା’ଙ୍କୁ ବଞ୍ଚାଇବାକୁ ଧାଇଁ ଯାଇଥିଲେ। ଏହି ସମୟରେ ଦୁଇପିଲାଙ୍କୁ ବି ବିଦ୍ୟୁତ ଆଘାତ ଲାଗିଥିଲା।

ଏତିକି ବେଳେ ସମସ୍ତଙ୍କ ଡାକ ଶୁଣି ଘରେ ଥିବା ଅର୍ଜୁନ ସିଂହଙ୍କ ଶ୍ବଶୁର ହଠେ ସିଂହ ଘଟଣାସ୍ଥଳକୁ ଆସି ଝିଅ ଓ ଝିଅର ପିଲାଙ୍କୁ ବଞ୍ଚାଇବା ପାଇଁ ‌ଚେଷ୍ଟା କରିଥିଲେ। ଦୁଃଖର ବିଷୟ କି ସେ ବି ବିଦ୍ୟୁତ ଆଘାତର ଶିକାର ହେବାହେତୁ ତାଙ୍କର ବି ଏଥିରେ ପ୍ରାଣବାୟୁ ଉଡ଼ିଯାଇଥିଲା।

ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବ‌ଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ପରେ ୪ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ଅନ୍ତିମ ସଂସ୍କାର କରାଯାଇଥିଲା।  ଗୋଟିଏ ଘରୁ ୪ଜଣଙ୍କ କୋକେଇ ଉଠିବାର ଦୃଶ୍ୟ ଦେଖି ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଥିଲା।