ବିଦ୍ୟୁତ୍‌ ଆଘାତରେ ପ୍ରତିଦିନ ୩୦ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବିଦ୍ୟୁତ୍‌ ଆଘାତ ଯୋଗୁଁ ଦେଶରେ ପ୍ରତିଦିନ ପ୍ରାୟ ୩୦ ଜଣ ପ୍ରାଣ ହରାଉଛନ୍ତି। ନଷ୍ଟ ହୋଇ ଯାଇଥିବା କିମ୍ବା ଛିଣ୍ଡି ଯାଇଥିବା‌ ବିଦ୍ୟୁତ୍‌ ତାର ସଂସ୍ପର୍ଷରେ ଆସି ଅନେକଙ୍କର ପ୍ରାୟ ରାସ୍ତା ଉପରେ ହିଁ ଜୀବନ ଯାଉଛି । ସେହିପରି ହାଇ ଭୋଲ୍ଟେଜ୍‌ ତାର ରାସ୍ତା ଉପରେ ଖସି ପଡ଼ିବା ଫଳରେ ମଧ୍ୟ ଅନେକ ଲୋକ ଏହି ତାର ସଂସ୍ପର୍ଶରେ ଆସି ପ୍ରାଣ ହାରୁଛନ୍ତି। ୨୦୧୫ରେ ସାରା ଦେଶରେ ୯,୯୮୬ ଜଣଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିଲା। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ସବୁଠାରୁ ଅଧିକ ତଥା ପ୍ରାୟ ୧୦୦୦ରୁ ଅଧିକ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି ବୋଲି ଏନ୍‌ସିଆରବି (ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡ୍‌ସ ବ୍ୟୁରୋ) ତଥ୍ୟରୁ ଜଣାପଡ଼ିଛି।

୨୦୧୧ରେ ସାରା ଦେଶରେ ୮୯୪୫ ଜଣଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବାବେଳେ ୨୦୧୨ରେ ୮୭୫୦, ୨୦୧୩ରେ ୧୦,୨୧୮, ୨୦୧୪ରେ ୯,୬୦୬ ଏବଂ ୨୦୧୫ରେ ୯,୯୮୬ ଜଣଙ୍କର ବିଦ୍ୟୁତ୍ ଆଘାତରେ ଜୀବନ ଯାଇଛି। ଉତ୍ତରପ୍ରଦେଶରେ ଗତ ୭ ବର୍ଷ ମଧ୍ୟରେ ବିଦ୍ୟୁତ୍‌ ଆଘାତ ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ୁଛି। ୨୦୧୨-୧୩ରେ ରାଜ୍ୟରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ସଂଖ୍ୟା ୫୭୦ ଥିବାବେଳେ ୨୦୧୮-୧୯ରେ ଏହା ୧୧୨୦କୁ ବୃଦ୍ଧି ପାଇଥିଲା। ନିକଟରେ ଉତ୍ତରପ୍ରଦେଶର ଏକ ସ୍କୁଲ୍‌ରେ ଏକ ହାଇ ଭୋଲ୍ଟେଜ୍‌ ତାର ଖସି ପଡ଼ିବା ଫଳରେ ୫୦ ଜଣ ଶିଶୁ ଆହତ ହୋଇଥିଲେ।

PHOTO BY—VIPIN

ବିଶେଷଜ୍ଞମାନେ କହିଛନ୍ତି, ଭାରତ ପରି ବିକାଶଶୀଳ ଦେଶରେ ବିଦ୍ୟୁତ୍‌ ଆଘାତ ନେଇ ‌ପର୍ଯ୍ୟାପ୍ତ ସଚେତନତା ସୃଷ୍ଟି କରାଯାଉ ନାହିଁ। ସଠିକ୍‌ ମାନର ବିଦ୍ୟୁତ୍‌ ଉପକରଣ ମଧ୍ୟ ବ୍ୟବହାର ହେଉନାହିଁ।। ଦୁଇଟି ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟରେ ସାଧାରଣ ଦୂରତା ୫୦ ଫୁଟ୍‌ ଏବଂ ପିଲାର୍‌ର ଉଚ୍ଚତା ୧୮ ଫୁଟ୍‌ ହେବା ଉଚିତ୍‌ ଥିଲେ ମଧ୍ୟ ଏହି ଦିଗ ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ବିଦ୍ୟୁତ୍‌ ତାରଗୁଡ଼ିକ ମଧ୍ୟ ଅନେକ ସମୟରେ ଭୂମି ଉପରେ ପଡ଼ି ରହୁଛି, ଯାହା ଫଳରେ ଅନେକ ସମସ୍ୟା ଉପୁଜୁଛି। ନିକଟରେ ଉତ୍ତରପ୍ରଦେଶର ସମ୍ବଲ୍‌ରେ ୪ ଜଣ ଶିଶୁ ନଳକୂପରେ ଗାଧୋଉ ଥିବା ସମୟରେ ସେମାନଙ୍କ ଉପ‌ରେ ବିଦ୍ୟୁତ୍‌ ତାର ଖସି ପଡ଼ିବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ତଥ୍ୟ ଅନୁଯାୟୀ ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ବିଦ୍ୟୁତ୍‌ ଆଘାତ ଯୋଗୁଁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ମଧ୍ୟପ୍ରଦେଶରେ ହାଇ ଭୋଲ୍ଟେଜ୍‌ ତାର ଯୋଗୁଁ ୨୦୧୬ରେ ୧୭୦୮ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର