ତିଆନ୍ଜିନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀ ଅବସରରେ ଚୀନ୍ର ତିଆନ୍ଜିନରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ଦିଗରେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଉଭୟ ନେତା ପାରସ୍ପରିକ ସମ୍ମାନ ଓ ମିଳିତ ରଣନୀତିରେ କାମ କରିବାକୁ ସହମତି ପ୍ରକାଶ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ୫୦ ମିନିଟ୍ର ଆଲୋଚନାରେ ବିଭିନ୍ନ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ସୀମା ବିବାଦର ସମାଧାନ ସମେତ ଆତଙ୍କବାଦର ମୁକାବିଲା ପାଇଁ ମୋଦୀ ଜିନପିଙ୍ଗଙ୍କ ସହାୟତା ଲୋଡ଼ିଥିବା ବେଳେ ହାତୀ-ଡ୍ରାଗନ୍ ଏକଜୁଟ ହେବା ହିଁ ଠିକ୍ ପନ୍ଥା ବୋଲି ଜିନପିଙ୍ଗ ବୈଠକରେ କହିଛନ୍ତି। ଉଭୟ ନେତା ସାଂପ୍ରତିକ ବୈଶ୍ବିକ ପରିସ୍ଥିତିରେ ଏକାଠି କାମ କରିବେ ବୋଲି ବିଶ୍ବକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।
୨୦୨୪ ଅକ୍ଟୋବରରେ ରୁଷ୍ର କାଜାନ୍ରେ ହୋଇଥିବା ଆଲୋଚନାକୁ ଆଧାର କରି ସମ୍ମାନ ଓ ସମ୍ବେଦନଶୀଳତା ଆଧାରରେ ସମ୍ପର୍କକୁ ଆଗେଇ ନେବାକୁ ମୋଦୀ-ଜିନପିଙ୍ଗଙ୍କ ଘୋଷଣା ଏକ ବଡ଼
ଉପଲବ୍ଧି ବୋଲି କୁହାଯାଉଛି। ଏହି ଆଲୋଚନାରେ ସୀମା ପରିଚାଳନା ପାଇଁ ସହମତି ଭିତ୍ତିରେ ଏକ ଚୁକ୍ତି ସ୍ଥିର ହୋଇଛି। ଏହାସହିତ କୈଳାସ ମାନସରୋବର ଯାତ୍ରା ଏବଂ ଭାରତ-ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପୁନଃଆରମ୍ଭ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି। ଏହି ପଦକ୍ଷେପଗୁଡ଼ିକ ୨୦୨୦ରେ ଗଲ୍ୱାନ ଉପତ୍ୟକା ସଂଘର୍ଷ ପରେ ଉତ୍ତେଜନା ହ୍ରାସ କରିବା ଦିଗରେ ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି।
ମିଳିତ ରଣନୀତିରେ କାମ କରିବେ
ସୀମା ପରିଚାଳନା ପାଇଁ ଚୁକ୍ତି
ଜିନପିଙ୍ଗଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ
ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସୀମାରେ ଏବେ ଶାନ୍ତି ଓ ସ୍ଥିରତାର ପରିବେଶ ସୃଷ୍ଟି ହୋଇଛି। ଉଭୟ ଦେଶର ବିଶେଷ ପ୍ରତିନିଧିଙ୍କ ମଧ୍ୟରେ ସୀମା ପରିଚାଳନା ସମ୍ପର୍କରେ ଏକ ଚୁକ୍ତି ହୋଇଛି। ଦୁଇ ଦେଶର ୨.୮ ବିଲିୟନ ଲୋକଙ୍କର ସ୍ୱାର୍ଥ ଆମ ସହଯୋଗ ସହ ଜଡ଼ିତ। ଏହା ସମଗ୍ର ମାନବଜାତିର କଲ୍ୟାଣ ପାଇଁ ମାର୍ଗ ପ୍ରଶସ୍ତ କରିବ ଏବଂ ଏହାକୁ ସାକାର କରିବା ପାଇଁ ଆମେ ନିଷ୍ଠାର ସହ ସମ୍ପର୍କକୁ ଆଗେଇ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରି ଜିନପିଙ୍ଗ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ପରସ୍ପର ମଧ୍ୟରେ ସଫଳ ବାତାବରଣ ସୃଷ୍ଟି କରିବା ଶ୍ରେଷ୍ଠ ପନ୍ଥା। ଡ୍ରାଗନ୍ ଓ ହାତୀର ଏକତ୍ର ସହଯୋଗ ଏହାଦ୍ବାରା ପ୍ରତିପାଦିତ ହେବ ବୋଲି ସେ କହିଛନ୍ତି। ଚୀନ୍ ଓ ଭାରତ ଦୁଇ ପ୍ରାଚୀନ ସଭ୍ୟତା ଏବଂ ଦକ୍ଷିଣ ବିଶ୍ବର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଆମେ ଦୁଇ ଦେଶର ଲୋକଙ୍କ କଲ୍ୟାଣ, ବିକାଶଶୀଳ ଦେଶଗୁଡ଼ିକର ଐକ୍ୟ ଓ ପୁନରୁତ୍ଥାନ ତଥା ମାନବ ସମାଜର ଅଗ୍ରଗତି ପାଇଁ ଐତିହାସିକ ଦାୟିତ୍ୱ ବହନ କରୁଛୁ ବୋଲି ଜିନପିଙ୍ଗ କହିଛନ୍ତି। ଶିଖର ସମ୍ମିଳନୀ ପୂର୍ବରୁ ଏହି ଦ୍ବିପାକ୍ଷିକ ଆଲୋଚନା ଉପରେ ସମଗ୍ର ବିଶ୍ବର ନଜର ରହିଥିବା ବେଳେ ଭାରତର ଏହି ନୂଆ ରଣନୀତିକୁ ନେଇ ଆମେରିକାରେ ଟ୍ରମ୍ପ ପ୍ରଶାସନର ମାନସମନ୍ଥନ ଆରମ୍ଭ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/01/adgadgdzcv-2025-09-01-02-34-03.jpg)