ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ହାତୀଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନେଇଛ ଜଣାଅ

ନୂଆଦିଲ୍ଲୀ : ବନ୍ୟଜନ୍ତୁ ଓ ମଣିଷ ଲ‌େଢ଼ଇ ପରିପ୍ରେକ୍ଷୀରେ ହାତୀମାନଙ୍କ ସୁରକ୍ଷା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିବାପାଇଁ ଆଜି ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦୁଇ ସପ୍ତାହ ମଧ୍ୟ‌େର ସତ୍ୟପାଠ ଦାଖଲ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାତୀ ମାନଙ୍କୁ ଘଉଡ଼ାଇବାପାଇଁ ପଶ୍ଚିମବଙ୍ଗ ସରକାର ଦ୍ବାରା ନିଅାଁ ଗୋଳା ବ୍ୟବହାର କରାଯାଉଛି ଏବଂ ସରକାରଙ୍କ ଦ୍ବାରା ଏନେଇ ଟେଣ୍ଡର୍‌ ଆମନ୍ତ୍ରଣ କରାଯାଉଛି ବୋଲି ଆଜି ପ୍ରେରଣା ସିଂହ ବିନ୍ଦ୍ରାଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ୍‌ ଦାଖଲ ହୋଇଥିଲା। ଆବେଦନକାରୀଙ୍କ ଓକିଲ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଥି‌େଲ ଯେ ଗତ ଅଗଷ୍ଟ ୧ ତାରିଖରେ ସୁପ୍ରିମକୋର୍ଟ ନିଅାଁ‌ ଗୋଳା କିଣାଯିବା ସଂକ୍ରାନ୍ତ ପଶ୍ଚିମବଙ୍ଗ ସରକାରଙ୍କ ଟେଣ୍ଡର ଉପ‌େର ରହିତାଦେଶ ଜାରି କରିଥିଲେ। ଏହାସତ୍ତ୍ବେ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ଏବଂ ଗଜରାଜଙ୍କ ଜୀବନ ପ୍ରତି ବିପଦ ରହିଛି। ପିଟିସନ୍‌ରେ ଓଡ଼ିଶାଦ୍ବାରା ହାତୀମାନଙ୍କୁ ଘଉଡ଼ାଇବା ନେଇ ବାଡ଼ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏହାଦ୍ବାରା ସ୍ଥାନୀୟ ବନ୍ୟଜନ୍ତୁଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ସେ ଖଣ୍ଡପୀଠଙ୍କୁ କହିଛନ୍ତି। ତେବେ ଏହି ଆବେଦନ ଉପରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ହାତୀଙ୍କ ଜୀବନ ରକ୍ଷା ନେଇ କେଉଁ ପଦ‌େକ୍ଷପ ଗ୍ରହଣ ହୋଇଛି ଦୁଇ ସପ୍ତାହ ମଧ୍ୟରେ ରି‌େପାର୍ଟ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ କୌଣସି ହାତୀ ବହୁଳ ରାଜ୍ୟରେ ହାତୀମାନଙ୍କୁ ଘଉଡ଼ାଇବା ନେଇ ନିଅାଁଗୋଳା ବ୍ୟବହାର ପାଇଁ ଟେଣ୍ଡର ଜାରି କରିପାରିବେନି ବୋଲି କୋର୍ଟ ପୂର୍ବ ଆଦେଶକୁ ଦୋହରାଇଛନ୍ତି।

ସମ୍ବନ୍ଧିତ ଖବର