ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ଗ୍ରେଟର ଭିରୁଙ୍ଗା ଅଞ୍ଚଳରେ ୫୦ ବର୍ଷର ତଥ୍ୟକୁ ଆଧାର କରି କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ତାପମାତ୍ରା ବୃଦ୍ଧି ଓ ବୃଷ୍ଟିପାତ କମିବା ଦ୍ୱାରା ୪୦ ବର୍ଷରୁ ଅଧିକ ବୟସ୍କ ହାତୀ ଖାଦ୍ୟ ଅଭାବରୁ ଚାପଗ୍ରସ୍ତ ହୋଇଥାନ୍ତି। ଏହା ଶିକାରର ବିପଦକୁ ମଧ୍ୟ ବଢାଇଥାଏ କାରଣ ଖାଦ୍ୟ ଅଭାବ ସହ ବାସସ୍ଥଳୀ ହ୍ରାସ ପାଇବା ଯୋଗୁ ହାତୀମାନେ ଜଙ୍ଗଲରୁ ଗାଁ-ସହର-ମୁହାଁ ହେବା ଫଳରେ ମଣିଷମାନଙ୍କ ସହିତ ସେମାନଙ୍କର ସଂଘର୍ଷ ବୃଦ୍ଧି ପାଇଥାଏ।
ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟିର ସାଇମନ ନାମପିଣ୍ଡୋଙ୍କ ସମେତ ଲେଖକମାନେ କହିଛନ୍ତି ଯେ ୬୦ରୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିପାରୁଥିବା ହାତୀଙ୍କ ସଅଳ ମୃତ୍ୟୁ ପ୍ରଜନନକ୍ଷମ ବୟସର ପଶୁଙ୍କ ସଂଖ୍ୟା ହ୍ରାସ କରିବା ସହ ସେମାନଙ୍କ ଜେନେଟିକ୍ ଭିତ୍ତିଭୂମିକୁ ଦୁର୍ବଳ କରିଥାଏ। ଏହି ମୃତ୍ୟୁ ମଧ୍ୟ ଛୁଆ ହାତୀମାନଙ୍କୁ ବୟସ୍କ ଓ ବୁଦ୍ଧିମାନ ପଶୁମାନଙ୍କଠାରୁ ମାର୍ଗଦର୍ଶନରୁ ବଞ୍ଚିତ କରିଥାଏ, ଯାହା ଫଳରେ ଅନିୟମିତ ଆଚରଣ ସୃଷ୍ଟି ହୁଏ।
ଏକ ପ୍ରଶ୍ନର ଉତ୍ତରରେ ନାମପିଣ୍ଡୋ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ହାତୀଙ୍କ ଉପଯୁକ୍ତ ବାସସ୍ଥାନର ଗୁଣବତ୍ତା ଓ ସ୍ଥିତିକୁ ପ୍ରଭାବିତ କରେ। ଏହାଦ୍ୱାରା ହାତୀମାନଙ୍କ ପାଇଁ ଉପଲବ୍ଧ ଖାଦ୍ୟସମ୍ପଦ ହ୍ରାସ ପାଇବ ଏବଂ ସେମାନେ ଖାଦ୍ୟ ଓ ପାଣି ସନ୍ଧାନରେ ଅଧିକ ଦୂରକୁ ଯିବାକୁ ବାଧ୍ୟ ହେବେ। ଏହି ଅଧ୍ୟୟନ ସମଗ୍ର ଆଫ୍ରିକା ପାଇଁ ଲାଗୁ, ଯେଉଁଠାରେ ପ୍ରାୟ ୪୧୫,୦୦୦ ହାତୀ ବାସ କରନ୍ତି। ଏହି ଗବେଷଣାରେ କାମ କରିଥିବା ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ଟିମୋଥି ରଣଧୀରଙ୍କ କହିବା ଅନୁସାରେ, ବତ୍ସୱାନା ଏବଂ ଜିମ୍ବାୱେରେ ବିଶ୍ୱର ସବୁଠାରୁ ଅଧିକ ହାତୀସଂଖ୍ୟା ରହିଛି। ଗତବର୍ଷ ଶେଷରେ ଏଲ୍ ନିନୋ-ଜନିତ ମରୁଡ଼ି ଯୋଗୁଁ ଜିମ୍ବାୱେର ସର୍ବବୃହତ୍ ଜାତୀୟ ଉଦ୍ୟାନରୁ ବନ୍ୟଜନ୍ତୁମାନେ ବହୁ ସଂଖ୍ୟାରେ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଥିଲେ। ଗରମ ତାପମାତ୍ରା ଯୋଗୁଁ ପାଣି ଅଭାବରୁ ପାଖାପାଖି ୨୦୦ ହାତୀଙ୍କ ମୃତ୍ୟୁ ଘଟିଥିବା ଦେଶର ବନ୍ୟପ୍ରାଣୀ କର୍ତ୍ତୃପକ୍ଷ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏଲ୍ ନିନୋ ଯୋଗୁ ପାଗ ଶୁଖିଲା ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/ele.jpg)