ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିପୁଳ ସମର୍ଥନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ସାମାଜିକ ଗଣମାଧ୍ୟମ ପ୍ରୋଫାଇଲ୍ରୁ ସେମାନଙ୍କ ‘ମୋଦୀ କା ପରିବାର’ ସ୍ଲୋଗାନକୁ ହଟେଇ ଦେଇପାରିବେ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍ କରି ମୋଦୀ କହିଛନ୍ତି, ନିର୍ବାଚନ ଅଭିଯାନ ଜରିଆରେ ଦେଶରେ ଲୋକମାନେ ସେମାନଙ୍କ ସାମାଜିକ ଗଣମାଧ୍ୟମ ପ୍ରୋଫାଇଲ୍ରେ ‘ମୋଦୀ କା ପରିବାର’ ଲେଖି ମୋ ପ୍ରତି ଥିବା ଭଲ ପାଇବାର ନିଦର୍ଶନ ଦେଖାଇଥିଲେ। ମୋତେ ସେଥିରୁ ଦୃଢ଼ ବଳ ମିଳିଥିଲା। ଭାରତର ଲୋକମାନେ କ୍ରମାଗତଭାବେ ତୃତୀୟ ଥର ପାଇଁ ଏନ୍ଡିଏକୁ ବହୁମତ ପ୍ରଦାନ କରିଛନ୍ତି। ଦେଶକୁ ଆଗକୁ ନେବାପାଇଁ ଆମକୁ ଏହି ଜନାଦେଶ ଲୋକମାନେ ଦେଇଛନ୍ତି।
ଆମେ ସମସ୍ତେ ଗୋଟିଏ ପରିବାର ହେବାର ବାର୍ତ୍ତା ପ୍ରଭାବଶାଳୀ ଭାବରେ ପ୍ରକାଶ ପାଇବା ପରେ ମୁଁ ପୁଣି ଥରେ ଭାରତବାସୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଅନୁରୋଧ କରିବି ଯେ ଆପଣମାନେ ବର୍ତ୍ତମାନ ଆପଣଙ୍କ ସୋସିଆଲ ମିଡିଆରୁ ‘ମୋଦୀ କା ପରିବାର’କୁ ହଟାଇ ଦିଅନ୍ତୁ। ପ୍ରଦର୍ଶିତ ନାମ ବଦଳିପାରେ, କିନ୍ତୁ ଭାରତର ପ୍ରଗତି ପାଇଁ ପ୍ରୟାସ କରୁଥିବା ଏକ ପରିବାର ଭାବରେ ଆମର ସମ୍ପର୍କ ଦୃଢ଼ ଏବଂ ଅତୁଟ ରହିଛି ବୋଲି ମୋଦୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ତେଲେଙ୍ଗାନାର ଆଦିଲାବାଦରେ ଗତ ମାର୍ଚ୍ଚରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କା ପରିବାର ସ୍ଲୋଗାନ ଦେଇଥିଲେ। ମୋଦୀଙ୍କର ପରିବାର ନାହିଁ ବୋଲି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିହାରର ଏକ ରାଲିରେ କହିବା ପରେ ମୋଦୀ ଏଭଳି ଆହ୍ବାନ ଦେଇଥିଲେ।