କୋକା କୋଲାକୁ କିଣିବେ ଏଲନ ମସ୍କ, କୋକେନ୍ ସ୍ବାଦ ଫେରାଇବେ

ଟ୍ବିଟର କିଣିବାର ପୁରୁଣା ଟ୍ବିଟ୍ ଚର୍ଚ୍ଚାରେ

ୱାସିଂଟନ: ବିଶ୍ବର ଶୀର୍ଷ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଚର୍ଚ୍ଚାରେ। ଟ୍ବିଟରକୁ ୪୪ ବିଲିଅନ ଡଲାରରେ କିଣିବେ ବୋଲି ଘୋଷଣା କରିବା ପରେ ସେ ବିଶ୍ବର ସର୍ବବୃହତ୍ ମୃଦ୍ୟୁପାନୀୟ କମ୍ପାନି କୋ‌କା କୋଲାକୁ କିଣିବା ନେଇ ଟ୍ବିଟ୍ କରିଛନ୍ତି। କୋକା କୋଲା କିଣିବା ନେଇ ମସ୍କ ଦେଇଥିବା ମନ୍ତବ୍ୟ ମଜାରେ ବୋଲି କୁହାଯାଉଥିଲେ ମଧ୍ୟ ମସ୍କଙ୍କ ପ୍ରଶଂସକମାନେ ତୁରନ୍ତ ଏହି ଟ୍ବିଟ୍‌ ଟ୍ରେଣ୍ଡ୍‌ ହୋଇଥିବା ଆରମ୍ଭ ହୋଇଯାଇଥିଲା।

ମସ୍କ ତା‌ଙ୍କ ଟ୍ବିଟ୍‌ରେ କହିଛନ୍ତି ଏହାପରେ ମୁଁ କୋକା କୋଲା କିଣିବି। ‌ଏହି ‌ପାନୀୟରେ କୋକେନକୁ ଫେରାଇ ଆଣିବା ଲାଗି ସେ ଏହା କରିବେ। ମସ୍କଙ୍କ ଟ୍ବିଟ୍‌କୁ ନେଇ ଟ୍ବିଟର ବ୍ୟବହାରକାରୀ ଓ ମସ୍କଙ୍କ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଫଳରେ ‌ଟ୍ବିଟରରେ କୋକା-କୋଲା ହିଁ ଟ୍ରେଣ୍ଡ୍ ହୋଇଛି। ଦୁଇ ଘଣ୍ଟା ମଧ୍ୟରେ ତାଙ୍କ ଟ୍ବିଟ୍‌କୁ ପ୍ରଶଂସା କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦ ଲକ୍ଷ ଟପିଯାଇଛି। ଏଥିସହିତ ସେହି ଟ୍ବିଟ୍‌କୁ ୨ ଲକ୍ଷ ଥର ରିଟ୍ବିଟ୍ କରାଯାଇଛି ଏବଂ ୬୦ ହଜାର ମନ୍ତବ୍ୟ ଆସିଛି। ଟ୍ବିଟ୍‌କୁ ଯଦିଓ କିଛି ଲୋକ ମଜାଳିଆ ବୋଲି ଭାବୁଛନ୍ତି ତଥାପି ଅନେକେ ଟ୍ବିଟର ବ୍ୟବହାରକାରୀ ମସ୍କଙ୍କୁ ବୁଝିପାରୁନାହାନ୍ତି। କାରଣ ଯଦିଓ ଏବେ ସେ ଟ୍ବିଟରକୁ କିଣିଲେ ତଥାପି ୫ ବର୍ଷ ପୂର୍ବରୁ ୨୦୧୭ ମସିହାରେ ସେ ଏକ ଟ୍ବିଟ୍ ଖାମଖିଆଲି ଭାବେ କରିଥିଲେ। ସେଥିରେ ସେ ଲେଖିଥିଲେ ମୁଁ ଟ୍ବିଟ୍‌କୁ ଭଲପାଏ। ଏହାର ଦାମ୍‌ କେତେ? ସେତେବେଳେ ଟ୍ବିଟରକୁ ନେଇ ଦେଖିଥିବା ମସ୍କଙ୍କ ସ୍ବପ୍ନ ଆଜି ବାସ୍ତବତାରେ ପରିଣତ ହୋଇଛି। ଟ୍ବିଟର ଅଧିଗ୍ରହଣ ପରିପ୍ରେକ୍ଷୀରେ ସେହି ପୁରୁଣା ଟ୍ବିଟ୍‌ ଚର୍ଚ୍ଚାକୁ ଆସିଛି। କୋକା କୋଲା ସଂପର୍କରେ ମସ୍କ କରିଥିବା ଟ୍ବିଟ୍‌କୁ ତାଙ୍କର ୮୭ ନିୟୁତ ଅନୁଗାମୀଙ୍କ ମଧ୍ୟରୁ ଅନେକେ ଉତ୍କଣ୍ଠାର ସହିତ ଅନୁଧ୍ୟାନ କରୁଛନ୍ତି। ଏ ନେଇ ମସ୍କ ପରବର୍ତ୍ତୀ ଟ୍ବିଟ୍ କ’ଣ କରୁଛନ୍ତି ତାହା ଉପରେ ମଧ୍ୟ ନଜର ରଖିଛନ୍ତି। କୋକା କୋଲା ବିଶ୍ବର ସବୁଠୁ ବଡ଼ ମୃଦୁପାନୀୟ କମ୍ପାନି। ଏହାର ସେୟାର ପିଛା ମୂଲ୍ୟ ୬୫.୫୬ ଡଲାର ଏବେ ରହିଛି। ଫଳରେ ଏହାର ମୋଟ ବଜାରପୁଞ୍ଜି ୨୮୪.୨୦ ଶହ କୋଟି ଡଲାର ବୋଲି ଆକଳନ କରାଯାଇଛି। ଟ୍ବିଟରକୁ ସେୟାର ପିଛା ୫୪.୨୦ ଡଲାରରେ କିଣିଥିବାବେଳେ ଏହାଠାରୁ ଢେର ଅଧିକ ମୂଲ୍ୟ କୋକାକୋଲାର ରହିଛି। ଫିଣ୍ଟୱିଟ୍ ନାମକ ଏକ ଫାଇନାନ୍ସିଆଲ ଆକାଉଣ୍ଟ ସଂସ୍ଥା ପକ୍ଷରୁ ମସ୍କଙ୍କ ଟ୍ବିଟ ଉପରେ ଉତ୍ତର ରଖାଯାଇ ସେୟାର ମୂଲ୍ୟ ଉଲ୍ଲେଖ କରାଯିବା ସହିତ କୁହାଯାଇଛି, ମସ୍କ ତୁମେ କୋକା କୋଲା କିଣିବା ପାଇଁ ବହୁ ଗରିବ।

ଉଲ୍ଲେଖଯୋଗ୍ୟ, କୋକା-କୋଲାର ନାମ କୋକା ପତ୍ର ଏବଂ କୋଲା ମଞ୍ଜିକୁ ‌ନେଇ ହୋଇଛି। କୋଲା ମଞ୍ଜି କାଫିନ୍‌ର ଉତ୍ସ ହୋଇଥିବାବେଳେ କୋକା ପତ୍ରକୁ ଆଧାର କରି କୋକେନ୍‌ ପ୍ରସ୍ତୁତ ହୋଇଥାଏ। ତେଣୁ କୋକେନ୍‌ ଥିବା କୋକା ପତ୍ର ଉକ୍ତ ମୃଦୁପାନୀୟର ଫର୍ମୁଲା ପ୍ରସ୍ତୁତିରେ ରହିଥାଏ। ଉନ୍ନବିଂଶ ଶତାବ୍ଦୀରେ ତାହାକୁ ଔଷଧୀୟ ଗୁଣଥିବା ପଦାର୍ଥ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଆମେରିକାରେ ଏହା ଉପରେ ପରେ କଟକଣା ଲଗାଯାଇଥିଲା। ଫଳରେ କୋକା-କୋଲାର ଗୋପନ ପ୍ରସ୍ତୁତ ଫର୍ମୁଲାରୁ କୋକେନକୁ ବାଦ୍ ଦିଆଯାଇଥିଲା। ଏହା ବଦଳରେ କେକେନକୁ ବାଦ୍ ଦିଆଯାଇଥିବା କୋକା ପତ୍ରକୁ ବ୍ୟବହାର କରି ଏହି ମୃଦୁପାନୀୟ ପ୍ରସ୍ତୁତ ହୋଇଥିଲା।

ସମ୍ବନ୍ଧିତ ଖବର