ନୂଆଦିଲ୍ଲୀ: ଟେସ୍‌ଲା ସିଇଓ ତଥା ‘ଏକ୍ସ’ର ମାଲିକ ଏଲୋନ୍‌ ମସ୍କ ପୁଣି ଥରେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ନିଜର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍‌ର ନାମ ‘ଗୋର୍କଲନ୍‌ ରଷ୍ଟ୍‌’କୁ ପରିବର୍ତ୍ତନ କରିଥିବା ବେଳେ ଏବେ ସେଇ ନାମକୁ ବି ବଦଳାଇ ଦେଇଛନ୍ତି। ଏବେ ‘ଏକ୍ସ’ରେ ମସ୍କ ତାଙ୍କ ନାମ ରଖିଛନ୍ତି ‘କେକିୟସ୍‌ ମାସ୍କିମସ୍‌’।

Advertisment

ନାମ ସହିତ ସେ ନିଜର ପ୍ରୋଫାଇଲ୍‌ ଫଟୋ ବି ବଦଳାଇଛନ୍ତି। ତେବେ ତାଙ୍କ ନାମ ଓ ପ୍ରୋଫାଇଲ୍‌ ଫଟୋକୁ ନେଇ ସେ କୌଣସି ବର୍ଣ୍ଣନା କରିନାହାନ୍ତି। 

ମସ୍କଙ୍କ ନାମ ପରିବର୍ତ୍ତନ କ୍ରିପ୍ଟୋକରେନ୍ସି ଜଗତରେ ହଇଚଇ ସୃଷ୍ଟି କରିଛି। କାରଣ କେକିୟସ୍‌ ମାସ୍କିମସ୍‌ ମିମ୍‌ କଏନ୍‌ର ମୂଲ୍ୟ ଆକାଶଛୁଆଁ ହୋଇଥିଲା। ବିନାନ୍ସ ଅନୁଯାୟୀ, ବିଲିୟନେୟାର ତାଙ୍କ ‘ଏକ୍ସ’ର ନାମ ବଦଳାଇବା ପରେ ମିମ୍‌ କଏନ୍‌ର ମୂଲ୍ୟ ପ୍ରାୟା ୧୧୯ % ବୃଦ୍ଧି ପାଇଛି। 

ମସ୍କ ଏଥରକୁ ମିଶାଇ ଦ୍ବିତୀୟ ଥର ପାଇଁ ତାଙ୍କ ପ୍ରୋଫାଇଲ୍‌ର ନାମ ବଦଳାଇଛନ୍ତି। ଗତ ବର୍ଷ ଡିସେମ୍ବରରେ ସେ ଶେଷ ଥର ପାଇଁ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ସେତେବେଳେ ସେ ତାଙ୍କର ପ୍ରୋଫାଇଲ୍ ଫଟୋକୁ ପ୍ରସିଦ୍ଧ 'ପେପେ ଦି ଫ୍ରଗ୍' ମେମ୍ ସହିତ ବଦଳାଇ ଦେଇଥିଲେ। ଏଥିରେ 'ପେପେ ଦି ଫ୍ରଗ୍' ସୁନା କବଚ ପିନ୍ଧିଥିବା ଏବଂ ଏକ ଭିଡିଓ ଗେମ୍ କଣ୍ଟ୍ରୋଲର୍ ଧରିଥିବା ଦେଖାଯାଇଥିଲା।