କ୍ଷୁଧାର ବିଲୋପ ପାଇଁ ୪୩ ହଜାର କୋଟି ଦାନ କଲେ ଏଲନ ମସ୍କ

ନ୍ୟୁୟର୍କ : ବିଶ୍ବରୁ ଅନାହାର ଦୂର ପାଇଁ ବିପୁଳ ଅର୍ଥ ଦାନ କରିଛନ୍ତି ବିଶ୍ବର ନଂ୧ ଧନୀ ଏଲନ ମସ୍କ । ଗତ ନଭେମ୍ବର ମାସରେ ବିଶ୍ବରୁ ଅନାହାର ଦୂର ପାଇଁ ଜାତିସଂଘ ପକ୍ଷରୁ ଏକ ଯୋଜନା ପ୍ରକାଶ ହେବା ପରେ ମସ୍କ ନିଜ କମ୍ପାନି ଟେସଲାର ପ୍ରାୟ ୫.୭ ବିଲିୟନ ଡଲାର ମୂଲ୍ୟର ସେୟାର ଦାନ କରିଛନ୍ତି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେବ ପ୍ରାୟ ୪୩ ହଜାର କୋଟି ଟଙ୍କା ।

ଏହି ଦାନ ସଂପର୍କରେ ୟୁଏସ ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ କମିଶନଙ୍କୁ ସେ ସୂଚୀତ କରିଛନ୍ତି । ଏହି ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବର ୧୯ରୁ ନଭେମ୍ବର ୨୯ ମଧ୍ୟରେ ସେ ଟେସଲାର ପ୍ରାୟ ୫୦,୦୪୪,୦୦୦ଟି ସେୟାର ଦାନ ଜନକଲ୍ୟାଣ ଉଦେଶ୍ୟରେ ଦାନ କରିଛନ୍ତି । ଏସବୁ ସେୟାରର ମୂଲ୍ୟ ପ୍ରାୟ ୫.୭ ବିଲିୟନ ଡଲାର ହେବ ।

ମସ୍କଙ୍କ ଏହି ଦାନ ପଛରେ ଏକ ମଜାଦାର କଥା ରହିଛି । ସିଏନଏସର ଏକ ରିପୋର୍ଟରେ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲେ କହିଥିଲେ ଯେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମୋଟ ସଂପତ୍ତିର ମାତ୍ର ୨ ପ୍ରତିଶତ ବିଶ୍ବରୁ କ୍ଷୁଧା ଦୂର କରିବାକୁ ସକ୍ଷମ । ଏହା ଦ୍ବାରା ପ୍ରାୟ ୪୨ ନିୟୁତ ଲୋକଙ୍କୁ ଅନାହାର ମୃତ୍ୟୁ କବଳରୁ ରକ୍ଷା କରାଯାଇପାରିବ ।

ଏହି ରିପୋର୍ଟ ପଢିବା ପରେ ମସ୍କ ଜାତିସଂଘକୁ ପଚାରିଥିଲେ, ଯେ ତାଙ୍କର ଏହି  ପ୍ରାୟ ୬ ବିଲିୟନ ଡଲାର ଦାନ  ବିଶ୍ବରୁ କିପରି କ୍ଷୁଧା ଦୂର କରିପାରିବ ? ଏହାର ଜବାବରେ ଜାତିସଂଘ ପକ୍ଷରୁ ଏକ ସବିଶେଷ ଯୋଜନା ପ୍ରସ୍ତୁତ କରି ତାଙ୍କୁ ଦିଆଯାଇଥିଲା । ଏହି ଯୋଜନାରେ ସନ୍ତୁଷ୍ଟ ହୋଇ ମସ୍କ ଅର୍ଥ ଦାନ କରିଥିଲେ ।

ସମ୍ବନ୍ଧିତ ଖବର