ୱାସିଂଟନ: ଟେକ୍ ବିଲିୟନେୟାର ତଥା ଟେସ୍ଲା-ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟି’ଘୋଷଣା କରିଛନ୍ତି। ଏହି ଦଳର ଲକ୍ଷ୍ୟ ହେଉଛି ଦେଶରେ ଦୁଇ ଦଳୀୟ ବ୍ୟବସ୍ଥାର ଅନ୍ତ ଘଟାଇ ଲୋକଙ୍କ ସ୍ୱରକୁ ସୁଦୃଢ଼ କରିବା। ଅନେକ ପ୍ରଖ୍ୟାତ ଆମେରିକୀୟ ଏହି ଦଳରେ ଖୁବ୍ଶୀଘ୍ର ଯୋଗଦେବେ ଏବଂ ସାଂଗଠନିକ କାର୍ଯ୍ୟକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ମସ୍କ କହିଛନ୍ତି। ଏହା ସହିତ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ମସ୍କ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୁରୁଣା ବନ୍ଧୁ ଏଲନ ମସ୍କଙ୍କୁ ଦେଶରୁ ବାହାର କରିଦେବେ ବୋଲି ଧମକ ଦେଇଥିବା ବେଳେ ଅନ୍ୟପଟେ ମସ୍କ ନୂଆ ଦଳ ଗଠନ କରି ଟ୍ରମ୍ପଙ୍କ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି। ଟ୍ରମ୍ପଙ୍କ ସହ ଅସନ୍ତୋଷ ଓ ଖରାପ ସମ୍ପର୍କ ମଧ୍ୟରେ ମସ୍କଙ୍କ ଏହି ପଦକ୍ଷେପ ଆମେରିକା ରାଜନୀତିକୁ ସରଗରମ କରିଛି।
ପ୍ରଖ୍ୟାତ ଆମେରିକୀୟ ସାମିଲ ହେବେ
କ’ଣ କହୁଛି ଆମେରିକା ସମ୍ବିଧାନ?
ଆମେରିକାର ଦୁଇ ଦଳୀୟ ବ୍ୟବସ୍ଥା ବିରୋଧରେ ନୂଆ ଦଳ ଏକ ବିକଳ୍ପ ପ୍ଲାଟଫର୍ମ ହେବ ବୋଲି ମସ୍କ କହିଛନ୍ତି ଯେ ଏହା ସାଧାରଣ ଜନତାଙ୍କ ସ୍ୱାଧୀନତା ଫେରାଇବା ଲକ୍ଷ୍ୟରେ କାମ କରିବ। ମସ୍କ ନୂଆ ଦଳ ଘୋଷଣା କରିବା ପରେ ୨୦୨୮ ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଜଣେ ୟୁଜର ମସ୍କଙ୍କୁ ପଚାରିଥିଲେ, ‘ମିଡ୍ ଟର୍ମ ବା ୨୦୨୮ ନିର୍ବାଚନ ପାଇଁ ଆପଣଙ୍କର ଯୋଜନା କ’ଣ? ଏହାର ଜବାବରେ ମସ୍କ କହିଥିଲେ ଯେ ଆଗାମୀ ମଧ୍ୟବର୍ତ୍ତୀ ନିର୍ବାଚନରେ ତାଙ୍କ ଦଳ ସକ୍ରିୟ ଭୂମିକା ଗ୍ରହଣ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ କେତେକ କଂଗ୍ରେସ ଓ ସିନେଟ୍ ଆସନରେ ପ୍ରାର୍ଥୀଙ୍କୁ ସମର୍ଥନ କରିବ।
ସୂଚନାଯୋଗ୍ୟ, ଆମେରିକା ସମ୍ବିଧାନର ଧାରା ୨, ଧାରା ୧ ଅନୁଯାୟୀ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି କେବଳ ସେଠାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ହିଁ ହୋଇପାରିବେ । ଆମେରିକାରେ ଜନ୍ମ ହୋଇନଥିବା କୌଣସି ବ୍ୟକ୍ତି ରାଷ୍ଟ୍ରପତି ହୋଇପାରିବେ ନାହିଁ। ମସ୍କ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସେ ଆମେରିକାରେ ନୁହେଁ ବରଂ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଛନ୍ତି। ସେ କହିଥିଲେ, ‘ମୋ ଜେଜେମା ନିଶ୍ଚିତ ଭାବେ ଆମେରିକୀୟ ଥିଲେ। କିନ୍ତୁ ମୋର ଜନ୍ମ ଦକ୍ଷିଣ ଆଫ୍ରିକାରେ ହୋଇଥିବାରୁ ମୁଁ ଆମେରିକାର ରାଷ୍ଟ୍ରପତି ହୋଇପାରିବି ନାହିଁ।’ ୨୦୨୪ରେ ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟୀ କରାଇବାରେ ମସ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଟ୍ରମ୍ପଙ୍କ ସପକ୍ଷରେ ଅନେକ ସ୍ଥାନରେ ସେ ରାଲି କରିବା ସହ ବିପୁଳ ଚାନ୍ଦା ଦେଇ ସାହାଯ୍ୟ କରିଥିଲେ। ନିର୍ବାଚନ ଜିତିବା ପରେ ଟ୍ରମ୍ପ ମସ୍କଙ୍କୁ ହ୍ୱାଇଟ୍ ହାଉସ୍ର ସରକାରୀ ଦକ୍ଷତା ବିଭାଗ ବା ଡୋଜ୍ର କମାଣ୍ଡ ମଧ୍ୟ ଦେଇଥିଲେ। ତେବେ ବିଭିନ୍ନ କାରଣରୁ ମସ୍କ ଓ ଟ୍ରମ୍ପଙ୍କ ସମ୍ପର୍କ ତିକ୍ତ ହୋଇଯାଇଛି । ଏପରିକି ମସ୍କଙ୍କୁ ଦେଶାନ୍ତର କରିବା ଉପରେ ମଧ୍ୟ ବିଚାର କରାଯାଇପାରେ ବୋଲି ଟ୍ରମ୍ପଙ୍କ ବୟାନ ଝଡ଼ ସୃଷ୍ଟି କରିଛି। ନିକଟରେ ‘ଏକ୍ସ’ରେ ଲୋକଙ୍କୁ ମସ୍କ ପଚାରିଥିଲେ ଯେ ଆମେରିକାର ଜନତା ଦୁଇ ଦଳୀୟ ବ୍ୟବସ୍ଥାରୁ ମୁକ୍ତି ଚାହୁଁଛନ୍ତି କି? ଏହି ସର୍ଭେରେ ୧୨ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଦୁଇ ତୃତୀୟାଂଶ ଲୋକ ନୂଆ ରାଜନୈତିକ ବିକଳ୍ପକୁ ବାଛିଥିଲେ।