ଏଲନ ମସ୍କଙ୍କ ଟ୍ବିଟ୍‌ ପୋଷ୍ଟ୍‌ରେ ରିପ୍ଲାଏ କରିବା ଇଞ୍ଜିନିୟରଙ୍କୁ ମହଙ୍ଗା ପଡ଼ିଲା; ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଟ୍ବିଟ୍‌ରକୁ କିଣିବା ପରେ ଲଗାତର ଭାବେ ଚର୍ଚ୍ଚାରେ ରହିଛନ୍ତି ଏଳନ ମସ୍କ। ସେ କେବେ ଟ୍ବିଟ୍‌ରରେ ଘଟାଉଥିବା ପରିବର୍ତ୍ତନକୁ ନେଇ ତ ପୁଣି କେବେ କର୍ମଚାରୀଙ୍କ ଛଟେଇକୁ ନେଇ। ନିକଟରେ ମସ୍କ ପୁଣି ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ୍‌ ମିଡିଆରେ ଜଣେ କର୍ମଚାରୀ ତାଙ୍କ ଟ୍ବିଟ୍‌ରେ ନିଜର ମତ ପ୍ରକାଶ କରିବା କାରଣରୁ ମସ୍କ ଉକ୍ତ କର୍ମଚାରୀଙ୍କ ଛଟେଇ କରିଥିବା ସୂଚନା ରହିଛି।

ସେ ସବୁ ଟ୍ବିଟର୍‌ ସ୍କ୍ରିନ୍‌ସଟ୍‌ ଏବେ ସୋସିଆଲ୍‌ ମିିଡିଆରେ ଭାଇରାଲ୍‌ ହୋଇଛି। ପ୍ରଥମ ଟ୍ବିଟ‌୍‌ରେ ମସ୍କ କିଛି ଦେଶରେ ଟ୍ବିଟର୍‌ ସ୍ଲୋ ହେବା କାରଣରୁ ବ୍ୟବହାରକାରୀଙ୍କୁ କ୍ଷମା ମାଗି ଲେଖିଛନ୍ତି, ‘ବିଭିନ୍ନ ଦେଶରେ ଟ୍ବିଟର୍‌ ସ୍ଲୋ ହେବା କାରଣରୁ ମୁଁ ବ୍ୟବହାରକାରୀଙ୍କୁ କ୍ଷମା ମାଗୁଛି। ଆପ୍‌ରେ କାମ ଚାଲୁଛି, ବ୍ୟବହାରକାରୀଙ୍କୁ ଖୁବ୍‌ ବଢ଼ିଆ ହୋମ୍‌ ଟାଇମ୍‌ଲାଇନ୍‌ ଦେଖିବାକୁ ମିଳିବ।’

ଯାହାର ଉତ୍ତରରେ ଟ୍ବିଟର୍‌ର ଜଣେ ବ୍ୟବହାରକାରୀ ଏରିକ୍‌ ଫ୍ରୋଚେନ୍‌ହୋଇଫେର୍‌ ଲେଖିଥିଲେ, ‘ମୁଁ ଟ୍ବିଟର୍‌ ଓ ଆଣ୍ଡ୍ରଏଡ୍‌ରେ ୬ ବର୍ଷ ବିତାଇଛି ଓ କହୁଛି ଯେ ଏହା ଭୁଲ୍‌ ଅଟେ’। ଯାହାକି ମସ୍କଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ।

ମସ୍କ ଅନ୍ୟ ଏକ ଟ୍ବିଟ୍‌ରେ ଏରିକ୍‌ ଫ୍ରୋଚେନ୍‌ହୋଇଫେର୍‌ଙ୍କୁ ଚାକିରିରୁ ଛଟେଇ କରି ଦେଇଥିବା ପୋଷ୍ଟ୍‌ କରିଛନ୍ତି। ହେଲେ ତାଙ୍କର ଆଉ ଚାକିରି ନାହିଁ ବୋଲି ତାଙ୍କୁ ଆନୁଷ୍ଠାନିକ ‌ଭାବେ କୌଣସି ସୂଚନା ମିଳିନାହିଁ ବୋଲି ସେ ଫୋର୍ବସକୁ ନିଜର ସାକ୍ଷାତ୍‌କାର ଦେଇ କହିଛନ୍ତି। ଏରିକ୍‌ ଫ୍ରୋଚେନ୍‌ହୋଇଫେର୍‌ ଟ୍ବିଟର୍‌ରେ ଇଞ୍ଜିନିୟର୍‌ ଭାବେ କାମ କରୁଥିଲେ।

ସମ୍ବନ୍ଧିତ ଖବର