ସାନ୍ ଫ୍ରାନ୍ସିସ୍କୋ: ସାମାଜିକ ଗଣମାଧ୍ୟମ କମ୍ପାନି ‘ଟୁଇଟ୍ର୍’କୁ ଖରିଦ କରିବା ଲାଗି ହୋଇଥିବା ୪୪ ବିଲିୟନ୍ ଡଲାର୍ ଚୁକ୍ତିନାମାର ଟେସ୍ଲାର ସିଇଓ ଏଲନ୍ ମସ୍କ ଅବସାନ ଘଟାଇବା ପରେ ଟେକ୍ ଇଣ୍ଡଷ୍ଟ୍ରିରେ ହାଇ ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ଚୁକ୍ତିରୁ ଓହରିଯିବା ପୂର୍ବରୁ ଏଲନ୍ ମସ୍କ ଟ୍ବିଟର୍ ସିଇଓ ପରାଗ ଅଗ୍ରୱାଲ୍ଙ୍କ ନିକଟକୁ ଏକ ଚେତାବନୀ ମେଜେସ୍ ପଠାଇଥିଲେ ବୋଲି ନିକଟରେ ଏକ ସୂତ୍ରରୁ ଜାଣିବାକୁ ମିଳିଛି। ମସ୍କ ମେସେଜ୍ ଜରିଆରେ କହିଥିଲେ ଯେ ଟ୍ବିଟର୍ର ଆର୍ଥିକ ସ୍ଥିତି ସଂପର୍କରେ ସବିଶେଷ ସୂଚନା ମାଗିବାରୁ କମ୍ପାନିର ଓକିଲମାନେ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି। ଓକିଲମାନେ ସୃଷ୍ଟି କରୁଥିବା ସମସ୍ୟା ଖୁବ୍ ଶୀଘ୍ର ବନ୍ଦ କରନ୍ତୁ। ସେ ଜୁନ୍ ୨୮ ତାରିଖରେ ସିଇଓ ପରାଗ ଅଗ୍ରୱାଲ୍ଙ୍କ ସହ ସିଇଓ ନେଡ୍ ସେଗଲ୍ଙ୍କୁ ଏହି ମେସେଜ୍ କରିଥିଲେ।
ମସ୍କ ଚୁକ୍ତିରୁ ଓହରିଯିବାର କାରଣ ଦର୍ଶାଇ କହିଥିଲେ ଯେ ରାଜିନାମା (ମର୍ଜର୍ ଏଗ୍ରିମେଣ୍ଟ୍) ଅନୁସାରେ, ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ସୂଚନା ଯୋଗାଇ ଦେବାରେ ‘ଟୁଇଟର୍’ ବିଫଳ ହୋଇଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ, ‘ଟୁଇଟର୍’ର ଅଧ୍ୟକ୍ଷ ବ୍ରେଟ୍ ଟେଲର୍ ଟୁଇଟ୍ କରି କହିଥିଲେ, ଉକ୍ତ ‘ମର୍ଜର୍ ଏଗ୍ରିମେଣ୍ଟ୍’କୁ (ଦୁଇଟି କମ୍ପାନିକୁ ମିଶାଯାଇ ନୂଆ କମ୍ପାନି କରାଯିବା ଚୁକ୍ତି) କାଏମ ରଖିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ‘ଟୁଇଟର୍’ ବୋର୍ଡ ଯୋଜନା କରୁଛି।
ରାଜିନାମା ରଦ୍ଦ ସମ୍ବନ୍ଧରେ ଫାଇଲ୍ କରିଥିବା ଆବେଦନ ପତ୍ରରେ ମସ୍କ୍ଙ୍କ ଓକିଲ କହିଥିଲେ, ବାରମ୍ବାର ଅନୁରୋଧ କରାଯାଇଥିଲେ ବି ‘ଟୁଇଟର୍ ପ୍ଲାଟ୍ଫର୍ମ’ରେ ଥିବା ଜାଲ୍ ଆକାଉଣ୍ଟ୍ (ଫେକ୍ ବା ସ୍ପାମ୍ ଆକାଉଣ୍ଟ୍) ବିଷୟରେ ସୂଚନା ଦେବା ପାଇଁ ‘ଟୁଇଟର୍’ ନିରୁତ୍ତର ରହିଛି। କମ୍ପାନିର ବ୍ୟାବସାୟିକ ପରିଚାଳନା ଲାଗି ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ସୂଚନା ରଖିବା ଅତ୍ୟାବଶ୍ୟକ ବୋଲି ଉକ୍ତ ଆବେଦନ ପତ୍ରରେ ଉଲ୍ଲେଖ ଥିଲା।