ନୂଆଦିଲ୍ଲୀ: ଟ୍ୱିଟର କିଣିବା ପରେ ଟେସଲାର ସିଇଓ ଏଲନ୍ ମସ୍କ ଏବେ ଚର୍ଚ୍ଚାରେ ରହିଛନ୍ତି। ଟ୍ବିଟରକୁ କିଣିବାରେ ସଫଳ ହେବା ପରେ ମସ୍କ ଦୁନିଆର କୌଣସି ବି ବଡ଼ ବଡ଼ କମ୍ପାନିକୁ କିଣିବାରେ ସକ୍ଷମ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। ହେଲେ ଏତେ କ୍ଷମତାଶାଳୀ ହୋଇ ବି ଏଲନ ମସ୍କ ଏଭଳି ଟ୍ବିଟ କାହିଁକି କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟ୍ବିଟରକୁ କିଣିବାରେ ସଫଳ ହେବା ପରେ ବି ମସ୍କ ନିଜ ମୃତ୍ୟୁକୁ ନେଇ ଆଶ୍ଚର୍ଯ୍ୟକଲା ଭଳି ଟ୍ବିଟ କରିଛନ୍ତି। ଏଥିରେ ସେ ତାଙ୍କର ‘ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ’ ହେବା ବିଷୟରେ ଲେଖିଛନ୍ତି।
ଏଲନ୍ ମସ୍କ ଟ୍ୱିଟ କରି ଲେଖିଛନ୍ତି, ଯଦି ମୁଁ ସନ୍ଦେହଜନକ ପରିସ୍ଥିତିରେ ମରିଯାଏ, ତେବେ ଏହା ଜାଣି ଖୁସି ଲାଗିବା ନାଁ। ସିଧାସଳଖ ଭାବେ ଏଲନ୍ ମସ୍କଙ୍କ ଟ୍ୱିଟର ଅର୍ଥ କେହି ବୁଝି ପାରିନଥିଲେ ବି ଅନୁମାନ କରାଯାଉଛି ଯେ ଏଠାରେ ମସ୍କ ‘ନାଇସ୍ ନୋଇଙ୍ଗ ୟା’ ଗୀତ ବିଷୟରେ କହିଛନ୍ତି।

ମସ୍କଙ୍କ ଏଭଳି ଟୁଇଟକୁ କେହି ବୁଝି ପାରିନଥିବା ବେଳେ ତାଙ୍କ ମା’ ମାଏ ମସ୍କ ଏଭଳି ଟ୍ବିଟ ପାଇଁ ତାଙ୍କ ଉପରେ ରାଗିଥିବା ଦେଖାଯାଇଛି। ମସ୍କଙ୍କ ଟ୍ବିଟକୁ ରି-ଟ୍ବିଟ କରି ମାଏ ମସ୍କ ଲେଖିଛନ୍ତି ଯେ, ଏହା ମଜାକ୍ ନୁହେଁ। ମା’ଙ୍କ ଏଭଳି ଟ୍ବିଟ ଦେଖି ଏଲନ ମସ୍କ କ୍ଷମା ପ୍ରାର୍ଥନା କରିବା ସହ ମୁଁ ବଞ୍ଚିବା ପାଇଁ ଚେଷ୍ଟା କରିବି ବୋଲି ଲେଖିଛନ୍ତି। ତେବେ ମସ୍କଙ୍କ ଏଭଳି ଟ୍ବିଟ ପରେ ଏବେ ଟ୍ବିଟର ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ଦେଖାଯାଇଛି।