ଲଣ୍ଡନ: ଗତକାଲି ଲଣ୍ଡନରେ ଅନୁଷ୍ଠିତ ‘ୟୁଟାଇଟ୍ ଦ କିଙ୍ଗ୍ଡମ୍’ ନାମକ ଏକ ବିଶାଳ ପ୍ରବାସ ନୀତି ବିରୋଧୀ ରାଲି ବ୍ରିଟେନରେ ଝଡ଼ ସୃଷ୍ଟି କରିଛି। ଏହି ରାଲିରେ ଟେସ୍ଲା ଓ ସ୍ପେସ୍ଏକ୍ସ ସିଇଓ ଏଲନ ମସ୍କ ଭିଡିଓ ଲିଙ୍କ ଜରିଆରେ ଭାଷଣ ଦେଇଥିଲେ। ସେ ବ୍ରିଟେନର ପ୍ରବାସ ନୀତି ଯୋଗୁଁ ବ୍ରିଟିଶ ସମାଜର ବିନାଶ ହେଉଛି ବୋଲି ଦାବି କରି କହିଥିଲେ, ‘ଆଗକୁ ବ୍ରିଟେନରେ ହିଂସା ଆସୁଛି, ଏହା ବିରୋଧରେ ଲଢ଼ିବାକୁ ପଡ଼ିବ ନଚେତ ମରିବ।’ ସରକାର ପରିବର୍ତନ ଓ ନୂଆ ନିର୍ବାଚନ ପାଇଁ ମଧ୍ୟ ମସ୍କ ଆହ୍ୱାନ ଦେଇଥିଲେ। ମସ୍କଙ୍କ ଏହି ବିବୃତି ଅତ୍ୟନ୍ତ ବିବାଦୀୟ ଥିବାରୁ ଅନେକ ଏହାକୁ ହିଂସାକୁ ଉସକାଇବା ଉଦ୍ୟମ ବୋଲି କହିଛନ୍ତି।
ଆପ୍ରବାସନ ବିରୋଧୀ ଆନ୍ଦୋଳନ
ବିରୋଧକୁ ଡରୁନୁ: ବ୍ରିଟେନ ପ୍ରଧାନମନ୍ତ୍ରୀ
ସୂଚନାଯୋଗ୍ୟ, ଗତକାଲି ରାଲି ଶେଷରେ ହିଂସା ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀମାନେ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ କରିବାରୁ ୨୬ ଜଣ ପୁଲିସ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚାରିଜଣ ଗୁରୁତର ଅଛନ୍ତି। ହିଂସା ମାମଲାରେ ୨୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମସ୍କଙ୍କ ବକ୍ତବ୍ୟକୁ ନେଇ ବ୍ରିଟିଶ ରାଜନେତା ଓ ବାମପନ୍ଥୀ ଗୋଷ୍ଠୀ ତୀବ୍ର ନିନ୍ଦା କରିଛନ୍ତି। ଲିବରାଲ ଡେମୋକ୍ରାଟ ନେତାମାନେ ଏହାକୁ ‘ଅଗ୍ରହଣୀୟ’ ବୋଲି କହିଥିବା ବେଳେ ଲେବର ପାର୍ଟି ଏହାକୁ ‘ଘୃଣ୍ୟ’ ବୋଲି ଅଭିହିତ କରିଛି। ଏକ୍ସ ପ୍ଲାଟଫର୍ମରେ ମସ୍କଙ୍କ ପ୍ରତି ସମର୍ଥନ ଓ ବିରୋଧ ଉଭୟ ଦେଖିବାକୁ ମିଳିଛି।। ଏହି ଘଟଣା ବ୍ରିଟେନରେ ପ୍ରବାସ ନୀତି ଓ ସାମାଜିକ ବିଭେଦକୁ ଆହୁରି ତୀବ୍ର କରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର କହିଛନ୍ତି ଆମେ ବିରୋଧକୁ ଡରୁନୁ ଏବଂ ଆନ୍ଦୋଳନ ଆଗରେ ଆତ୍ମସମର୍ପଣ କରିବୁ ନାହିଁ। ସୂଚନାଯୋଗ୍ୟ, ପ୍ରାୟ ଦେଢ଼ ଲକ୍ଷ ଲୋକ ଏହି ବିକ୍ଷୋଭରେ ଅଂଶଗ୍ରହଣ କରି ପ୍ରବାସ ନୀତି ବିରୋଧରେ ରଣହୁଙ୍କାର ଦେବା ସରକାର ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ ଭାବେ ସାମ୍ନାକୁ ଆସିଛି। ଏହି ରାଲିର ଆୟୋଜନ କରିଥିଲେ ଜଣାଶୁଣା ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ଟମି ରବିନ୍ସନ୍। ଏହା ବ୍ରିଟେନରେ ଅନିୟନ୍ତ୍ରିତ ଆପ୍ରବାସନ, ବିଶେଷ କରି ଇଂଲିସ୍ ଚାନେଲ ଦେଇ ଅନୁପ୍ରବେଶ ଉପରେ କେନ୍ଦ୍ରିତ ଥିଲା। ରାଲିରେ ଫ୍ରାନ୍ସ ଓ ଜର୍ମାନୀର ଅନେକ ଚରମପନ୍ଥୀ ନେତାମାନେ ମଧ୍ୟ ଭାଷଣ ଦେଇ ପ୍ରବାସୀଙ୍କୁ ତଡ଼ିବା ଦାବିକୁ ସମର୍ଥନ କରିଥିଲେ।