‘ସଭ୍ୟତା ମରିଯିବ’: ଜନସଂଖ୍ୟା ହ୍ରାସ ନେଇ ଏଲନ ମସ୍କଙ୍କ ଚେତାବନୀ

ୱାସିଂଟନ : ପୃଥିବୀର ଏକନମ୍ବର ଧନୀ ତଥା ଟେସଲା ସିଇଓ ଏଲନ ମସ୍କ ପୁଣିଥରେ ମାନବ ସଭ୍ୟତା ଲୋପ ପାଇଯିବା ଆଶଙ୍କାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ଫ୍ୟାନ୍ ପେଜ୍ @ମସ୍କୟୁନିଭର୍ସିଟିର ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟ୍ବିଟ୍ କରିଛନ୍ତି- ଯଦି ଜନ୍ମହାର ଏହିପରି ଭାବେ ହ୍ରାସ ପାଇଚାଲେ, ତେବେ ମାନବ ସଭ୍ୟତା ଦିନେ ନା ଦିନେ ମରିଯିବ। ତେବେ ନେଟିଜେନ (ଇଣ୍ଟରନେଟ୍ ବ୍ୟବହାରକାରୀ)ମାନେ ମସ୍କଙ୍କ ଟ୍ବିଟ୍‌ର ଉତ୍ତର ଦେଇ ଲେଖିଛନ୍ତି- ସୁପ୍ରଭାତ ଏଲନ! ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ମାନବସଭ୍ୟତା ବଞ୍ଚିରହିବ, ମରିବ ନାହିଁ।

ଆଉ ଜଣେ ନେଟିଜେନ ଏକ ରିପୋର୍ଟ ସେୟାର କରି ‌ଦର୍ଶାଇଛନ୍ତି କିପରି ୧୮୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଜନସଂଖ୍ୟା ବୃଦ୍ଧି ପାଇଚାଲିଛି। ୫୦ ବର୍ଷୀୟ ଟେକ୍ ବିଲିୟନେୟାର ଗତ ଜୁନ୍ ମାସରେ ବି ଅନୁରୂପ ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଜନସଂଖ୍ୟା ହ୍ରାସ ମାନବ ସଭ୍ୟତା ପ୍ରତି ଏକ ବଡ଼ ବିପଦ। ପିଲା ଜନ୍ମ କଲେ ପରିବେଶକୁ ବିପଦ ବୋଲି ଯେଉଁମାନେ ଭାବୁଛନ୍ତି ସେମାନେ ବଡ଼ ଭୁଲ୍ କରୁଛନ୍ତି। ସମ୍ପ୍ରତି ଜାପନରେ ଜନ୍ମହାର ଓ ଜନସଂଖ୍ୟା ହ୍ରାସ ଏକ ଚିନ୍ତାଜନକ ସମସ୍ୟା ରୂପେ ଦେଖାଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର