ନୂଆଦିଲ୍ଲୀ: ସ୍ପାମ ଆକାଉଣ୍ଟର ତଥ୍ୟ ନଦେଲେ ଟ୍ବିଟର କିଣିବେନି ଏଲନ ମସ୍କ। ଚୁକ୍ତି ଶେଷ ହେବା ପରେ ଏବେ ଏଭଳି ସର୍ତ୍ତ ରଖିଛନ୍ତି ଏଲନ ମସ୍କ। ଟ୍ବିଟରରେ ସ୍ପାମ ଆକାଉଣ୍ଟର ସଂଖ୍ୟା ୫ ପ୍ରତିଶତରୁ କମ୍ ନହେବା ପର୍ଯ୍ୟନ୍ତ ଟ୍ୱିଟର ଡିଲକୁ ଆଗକୁ ନେବେ ନାହିଁ ବୋଲି ଏଲନ୍ ମସ୍କ କହିଛନ୍ତି। ମସ୍କ ଟ୍ବିଟରରେ ୨୦% ସ୍ପାମ ବଟ୍ସ ରହିଥିବାର ଦାବି କରି ଏହି ପ୍ରତିଶତ କମ ହେବା ପରେ ହିଁ ସେ ଟ୍ବିଟର କିଣିବେ ବୋଲି ସର୍ତ୍ତ ରଖିଛନ୍ତି।
ଗତ ସପ୍ତାହରେ ପ୍ରକାଶିତ ଏକ ଅନୁସନ୍ଧାନରେ ଟ୍ୱିଟର ରିପୋର୍ଟ କରିଥିଲା ଯେ ଏହି ତ୍ରୈମାସରେ ମାଇକ୍ରୋବ୍ଲଗିଂ ସାଇଟ ଟ୍ବିଟରରେ ସ୍ପାମ୍ ଆକାଉଣ୍ଟ ସଂଖ୍ୟା କମିଯିବା ସହ ଏବେ ପ୍ରାୟ ୫ପ୍ରତିଶତ ସ୍ପାମ୍ ଆକାଉଣ୍ଟ ରହିଛି। ହେଲେ ଟେସଲା ସିଇଓ ଟ୍ୱିଟରର ଦାବିକୁ ଖଣ୍ଡନ କରି ଡିଲକୁ ସ୍ଥଗିତ କରି ଦେଇଥିଲେ। କୁହାଯାଉଛି ଯେ, ଟ୍ବିଟରର ପ୍ରତି ସେୟାରକୁ ସେ ଯେତିକି ଟଙ୍କା ଦେଇ କିଣିଛନ୍ତି ଏବେ ସେ ତାହାକୁ କମ କରିବାକୁ ଚାହୁଁଛନ୍ତି। କାରଣ ଟ୍ବିଟର୍କୁ କିଣିବା ଲାଗି ମସ୍କ ଯେତେବେଳେ ବୁଝାମଣା ବିଷୟରେ ଘୋଷଣା କରିଥିଲେ ସେହି ସମୟରେ କଂପାନିର ସେୟାର ମୂଲ୍ୟ ୫୪.୨୦ ଡଲାର ଥିଲା। ଏବେ ତାହା ୩୮.୦୬ ଡଲାରକୁ ଖସିଆସିଛି। ଟ୍ବିଟର୍କୁ ଅଧିଗ୍ରହଣ ପାଇଁ କମ୍ ମୂଲ୍ୟ ଦେବାକୁ ମସ୍କ ଏଭଳି ଚାପ ପକାଉଥିବା କୁହାଯାଉଛି।
ଟ୍ବିଟର୍ ପକ୍ଷରୁ ନିୟାମକ ସଂସ୍ଥାଙ୍କୁ ଦିଆଯାଉଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ ୨୦୧୩ ପରଠାରୁ କ୍ରମାଗତ ଭାବେ ନକଲି ଆକାଉଣ୍ଟ୍ ପରିମାଣ ୫%ରୁ କମ୍ ରହୁଛି। ଏବେ କାହିଁକି ମସ୍କ ତାହାକୁ ଏକ ପ୍ରସଙ୍ଗ କରିଛନ୍ତି ତାହା ବୁଝାପଡ଼ୁନାହିଁ। କେବଳ ଟ୍ବିଟର୍ ସେୟାର ମୂଲ୍ୟକୁ ଯେକୌଣସି ପ୍ରକାରରେ ଆହୁରି ତଳକୁ ଖସାଇ କମ୍ ଦାମ୍ରେ ତାହାକୁ ଅଧିଗ୍ରହଣ କରିବା ଲାଗି ମସ୍କଙ୍କ ଏହା ଯୋଜନା ହୋଇଥାଇପାରେ ବୋଲି ମଧ୍ୟ କିଛି ବିଶେଷଜ୍ଞ କହୁଛନ୍ତି। ଟ୍ବିଟର୍ ମସ୍କଙ୍କ ମାଲିକାନାକୁ ଯିବ ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଯଦି ସେ ଏହି ବୁଝାମଣା ରଦ୍ଦ କରିବେ ତେବେ ସେ ଟ୍ବିଟର୍କୁ ୧୦୦ କୋଟି ଡଲାର କ୍ଷତିପୂରଣ ଦେବେ। ବୁଝାମଣାର ସର୍ତ୍ତାବଳୀରେ ତାହା ସ୍ପଷ୍ଟ ଉଲ୍ଲେଖ ରହିଛି। ଚୁକ୍ତି ଅନୁସାରେ ଟ୍ବିଟର୍କୁ କିଣିବା ଲାଗି ମସ୍କଙ୍କୁ ଜଣେ ବିଚାରପତି ବାଧ୍ୟ ବି କରିପାରିବେ।