ନ୍ୟୁୟର୍କ : ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପ୍ରତି ମିନିଟରେ ୧,୪୨,୬୯୦ ଡଲାର ବା ୧.୧୮ କୋଟି ଟଙ୍କା ରୋଜଗାର କରନ୍ତି । ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ମସ୍କଙ୍କ ଏକ ଘଣ୍ଟାର ରୋଜଗାର ୮,୫୬୦,୮୦୦ ଡଲାର ବା ୭୧ କୋଟି ଟଙ୍କାରୁ ଅଧିକ।
ଏବେ ଏହି ରିପୋର୍ଟକୁ ଖୋଦ ଏଲନ୍ ମସ୍କ ମୁର୍ଖାମୀ ବୋଲି କହିଛନ୍ତି । ସେ ଏହି ରିପୋର୍ଟକୁ ଅସ୍ୱୀକାର କରି କହିଛନ୍ତି ଯେ ତାଙ୍କୁ ରୋଜଗାର ବଢିବା ପରିବର୍ତ୍ତେ ବିପୁଳ କ୍ଷତି ସହିବାକୁ ପଡ଼ୁଛି। ମସ୍କ କହିଛନ୍ତି ଯେ ଯେତେବେଳେ ଟେସ୍ଲାର ସେୟାର ହ୍ରାସ ପାଇଥାଏ, ସେତେବେଳେ ଅଧିକ ଟଙ୍କା ହରାଇବାକୁ ପଡିଥାଏ ।
ୟୁଜର୍ସଙ୍କ ପ୍ରତିକ୍ରିୟାରେ ଏକ୍ସର ମାଲିକ ମସ୍କ କହିଛନ୍ତି ଯେ ଏଭଳି ରିପୋର୍ଟକୁ ବିଶ୍ୱାସ କରାଯାଇପାରିବ ନାହିଁ । ଏହାର ମ୍ୟାଟ୍ରିକ୍ସ ଭୁଲ ଅଟେ । ମସ୍କ କହିଛନ୍ତି ଯେ ଏହା ନଗଦ ଅର୍ଥର ଏକ ବଡ଼ ଅଂଶ ନୁହେଁ। ବାସ୍ତବରେ, ଏହି ରାଶି କମ୍ପାନୀଗୁଡିକର ସେ ପ୍ରତିଷ୍ଠା କରିଥିବା ଷ୍ଟକ ଆକାରରେ ଅଛି । ଯେତେବେଳେ ଏସବୁ କମ୍ପାନିର ସେୟାର ମୂଲ୍ୟ କମିଥାଏ, ତାଙ୍କର କ୍ଷତି ହୋଇଥାଏ ।
ସୂଚନାଯୋଗ୍ୟ, ଜାନୁଆରୀରୁ ଜୁନ୍ ମଧ୍ୟରେ ଟେସ୍ଲା ଏବଂ ସ୍ପେସ୍ ଏକ୍ସ ସିଇଓଙ୍କ ମୋଟ ସମ୍ପତ୍ତି ୯୬.୬ ବିଲିୟନ ଡଲାର ବୃଦ୍ଧି ପାଇଛି। ବର୍ତ୍ତମାନ ଏଲନ୍ ମସ୍କ ୨୪୮.୭ ବିଲିୟନ ଡଲାର ସମ୍ପତ୍ତି ସହ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି ।