ନୂଆଦିଲ୍ଲୀ: ଏଲନ୍ ମସ୍କ୍ଙ୍କ ‘ସ୍ପେସ୍ଏକ୍ସ୍’ ଜଣେ ୧୪ ବର୍ଷିୟ ନୂଆ ସଫ୍ଟ୍ୱେର୍ ଇଞ୍ଜିନିୟର୍ଙ୍କୁ ନିଯୁକ୍ତି ଦେଇଥିବା କଥା ‘ଲସ୍ ଏଞ୍ଜେଲ୍ସ୍ ଟାଇମସ୍’ ରିପୋର୍ଟ କରିଛି।
ସେ ଇଞ୍ଜିନିୟର୍ ହେଉଛନ୍ତି ‘ସ୍ପସ୍ଏକ୍ସ୍’ର ‘ଟେକ୍ନିକାଲି ଚାଲେଞ୍ଜିଙ୍ଗ୍’ ଓ ‘ଫନ୍’ ସାକ୍ଷାତ୍କାର ପ୍ରକ୍ରିୟାରେ ପାସ୍ କରିଥିବା କୈରାନ୍ କାଜି।
‘ଲସ୍ ଏଞ୍ଜେଲ୍ସ୍ ଟାଇମସ୍’ ରିପୋର୍ଟ ଅନୁସାରେ, ୧୧ ବର୍ଷ ବୟସରେ କୈରାନ୍ କମ୍ପ୍ୟୁଟର୍ ସାଇନ୍ସ୍ ଓ ଇଞ୍ଜିନିୟରିଙ୍ଗ୍ ପାଠ୍ୟକ୍ରମ ଅଧ୍ୟୟନ ଆରମ୍ଭ କରିଥିଲେ। ଚଳିତ ମାସରେ ସେ ସାନ୍ତା କ୍ଲାରା ବିଶ୍ବବିଦ୍ୟାଳୟରୁ କମ୍ପ୍ୟୁଟର୍ ସାଇନ୍ସ୍ ଓ ଇଞ୍ଜିନିୟରିଙ୍ଗ୍ରେ ସ୍ନାତକ ଡିଗ୍ରି ହାସଲ କରିବେ।
/sambad/media/post_attachments/wp-content/uploads/2023/06/kairan-1024x683.jpg)
‘ସ୍ପେସ୍ଏକ୍ସ୍’ରେ ନୂଆ ଚାକିରି ଆରମ୍ଭ କରିବାକୁ କୈରାନ୍ ଖୁବ୍ ବ୍ୟଗ୍ର ଅଛନ୍ତି। ନିଜ ପାରଦର୍ଶିତା ବଳରେ ମଙ୍ଗଳ ଗ୍ରହକୁ ମନୁଷ୍ୟ ପ୍ରେରଣ କରିବା ପାଇଁ କମ୍ପାନିର ଲକ୍ଷ୍ୟ ହାସଲ ଦିଗରେ ସାହାଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଏ ବିଷୟରେ ‘ଲିଙ୍କ୍ଇନ୍’ରେ ସେ ଲେଖିଛନ୍ତି, ବିଶ୍ବର ସବୁଠୁ ଭଲ କମ୍ପାନିର ‘ଷ୍ଟାର୍ଲିଙ୍କ୍ ଇଞ୍ଜିନିୟରିଙ୍ଗ୍’ ଟିମ୍ରେ ମୁଁ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଭାବେ ଯୋଗ ଦେବି। ବିରଳ କମ୍ପାନିଗୁଡ଼ିକରୁ ଗୋଟିଏ ଏ କମ୍ପାନି ମୋ ବୟସକୁ ଖାମ୍ଖିଆଲି ଭାବେ ବିଚାର ନ କରି ମୋର ପରିପକ୍ବତା ଓ ସାମର୍ଥ୍ୟ କଥା ବିଚାର କରିଛି।
ରିପୋର୍ଟ ଅନୁସାରେ, ‘ସ୍ପେସ୍ଏକ୍ସ’ରେ କାମ କରିବା ଲାଗି କୈରାନ୍ ତାଙ୍କ ମାଆ ସହିତ କାଲିଫର୍ଣ୍ଣିଆର ପ୍ଲିଜାଣ୍ଟନ୍ରୁ ୱାସିଂଟନ୍ର ରେଡ୍ମଣ୍ଡ୍ ଯିବା ପାଇଁ ଯୋଜନା କରୁଛନ୍ତି।