ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ମସିହା, ଜୁନ୍ ୨୫ ତାରିଖରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏଣିକି ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଘୋଷଣା କରିଛନ୍ତି। ୧୯୭୫ ଜରୁରିକାଳୀନ ପରିସ୍ଥିତିର ଅମାନୁଷିକ ଯନ୍ତ୍ରଣା ସହିଥିବା ସମସ୍ତଙ୍କ ଅବଦାନକୁ ଏହି ଦିବସ ମନେ ପକାଇବ ବୋଲି ଶାହ କହିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ କଡ଼ା ବିରୋଧ କରିଛନ୍ତି। ‘୧୯୭୫ ମସିହା ଜୁନ୍ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦୀ ମାନସିକତାର ଖୋଲା ପ୍ରଦର୍ଶନ କରି ଦେଶ ଉପରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରର ଶ୍ବାସରୁଦ୍ଧ କରିଦେଇଥିଲେ।
ବିନା ଦୋଷରେ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲରେ ଫିଙ୍ଗି ଦିଆଯାଇଥିଲା ଏବଂ ଗଣମାଧ୍ୟମକୁ ଚୁପ୍ କରି ଦିଆଯାଇଥିଲା। ଏଣୁ ଭାରତ ସରକାର ପ୍ରତିବର୍ଷ ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି’ ବୋଲି ଶାହ ଟ୍ବିଟ୍ କରି କହିଛନ୍ତି। ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୪୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ କଂଗ୍ରେସ ବିରୋଧରେ ତୀବ୍ର ଆକ୍ରମଣ କରୁଥିବା ବେଳେ ସରକାରଙ୍କ ଏଭଳି ପଦକ୍ଷେପ ସରଗରମ ଚର୍ଚ୍ଚା ସୃଷ୍ଟି କରିଛି।