ନୂଆଦିଲ୍ଲୀ: ଜରୁରିକାଳୀନ ପରିସ୍ଥିତି ଘୋଷଣାକୁ ଭାରତର ୫୦ ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସମାଲୋଚନା କରିଛନ୍ତି। ୧୮ଶ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଆସନ୍ତାକାଲି ଜୁନ୍ ୨୫। ଏହିଦିନ ଭାରତର ଗଣତନ୍ତ୍ର ଉପରେ ଯେଉଁ କଳାଦାଗ ଲଗାଯାଇଥିଲା ତାହାର ୫୦ ବର୍ଷ ପୂର୍ତ୍ତି ହେଉଛି। ଭାରତର ନୂଆ ପିଢ଼ି କେବେ ବି ଭୁଲିପାରିବେ ନାହିଁ ଯେ ଭାରତୀୟ ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇଥିଲା, ସମ୍ବିଧାନର ପ୍ରତ୍ୟେକ ଅଂଶ ଖଣ୍ଡଖଣ୍ଡ ହୋଇଯାଇଥିଲା, ଦେଶକୁ ଜେଲରେ ପରିଣତ କରାଯାଇଥିଲା, ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ଦମନ କରାଯାଇଥିଲା। ଦେଶବାସୀ ସଂକଳ୍ପ ନିଅନ୍ତୁ, ୫୦ ବର୍ଷ ପୂର୍ବେ ଭାରତରେ ଯାହା କରାଯାଇଥିଲା ଭବିଷ୍ୟତରେ ସେଭଳି କାର୍ଯ୍ୟ କରିବାକୁ ଯେପରି ଆଉ କେହି ସାହସ ନ କରନ୍ତି। ଆମେ ଏକ ଜୀବନ୍ତ ଗଣତନ୍ତ୍ରର ସଂକଳ୍ପ ନେବୁ। ସମ୍ବିଧାନର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ଲୋକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେବୁ ବୋଲି ସେ କହିଛନ୍ତି।
ଅନ୍ୟ ନେତାଙ୍କ ସହ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜବାବ ଦେଇ କହିଛନ୍ତି ଯେ ସେ ୫୦ ବର୍ଷ ତଳର ଜରୁରିକାଳୀନ ପରିସ୍ଥିତିକୁ ମନେ ପକାଉନ୍ତି କିନ୍ତୁ ଗତ ୧୦ ବର୍ଷର ଅଘୋଷିତ ଜରୁରିକାଳୀନ ପରିସ୍ଥିତିକୁ ଭୁଲିଯାଇଛନ୍ତି, ଯାହାକୁ ଲୋକମାନେ ଶେଷ କରିଦେଇଛନ୍ତି। ମୋଦୀଜୀଙ୍କ ବିରୁଦ୍ଧରେ ଜନତା ନିଜର ଜନାଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ଯଦି ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ତା'ହେଲେ ଦେଶ ପାଇଁ କାମ କରିବା ଦରକାର। ଆମେ ସଂସଦରେ ସହମତି ଚାହୁଛୁ, ଆମେ ଗୃହରେ, ରାଜରାସ୍ତାରେ ଏବଂ ସମସ୍ତଙ୍କ ସମ୍ମୁଖରେ ଲୋକଙ୍କ ସ୍ୱର ଉତ୍ତୋଳନ ଜାରି ରଖିବୁ ବୋଲି ଖଡ଼ଗେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Modi.jpg)