ନୂଆଦିଲ୍ଲୀ: ଦେଶରେ ଆଜି କ୍ଲାଡ ୧ବିି ପ୍ରଜାତିର ପ୍ରଥମ ଏମ୍ପକ୍ସ ମାମଲା ଚିହ୍ନଟ ହୋଇଛି। ଏହି ପ୍ରଜାତି ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଏମ୍ପକ୍ସକୁ ଗତମାସରେ ଦ୍ବିତୀୟ ଥର ପାଇଁ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି ଘୋଷଣା କରିଛି। କେରଳର ଜଣେ ବ୍ୟକ୍ତିଙ୍କଠାରେ ଏହି ଏମ୍ପକ୍ସ କ୍ଲାଡ୍ ୧ବି ମାମଲା ଚିହ୍ନଟ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ମଲ୍ଲପୁରମ ଜିଲ୍ଲାର ୩୮ ବର୍ଷୀୟ ଏହି ଯୁବକ ନିକଟରେ ୟୁଏଇରୁ ଫେରିଥିଲେ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ମନୀଷ ବର୍ମା ଦେଶରେ ଏମ୍ପକ୍ସ କ୍ଲାଡ୍ ୧ବି ପ୍ରଜାତି ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି। ଗତ ସପ୍ତାହରେ ଏମ୍ପକ୍ସ ସଂକ୍ରମିତ ହୋଇଥିବା ମଲପ୍ପୁରମର ଜଣେ ବ୍ୟକ୍ତିଙ୍କଠାରେ ଏହି କ୍ଲାଡ୍ ୧ବି ପ୍ରଜାତି ଚିହ୍ନଟ ହୋଇଥିବା ବର୍ମା କହିଛନ୍ତି। ଅନ୍ୟପକ୍ଷେ ଏହା ପୂର୍ବରୁ ହରିୟାଣାର ହିସାରରେ ଏମ୍ପକ୍ସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ କ୍ଲାଡ୍ ୨ ପ୍ରଜାତି ଚିହ୍ନଟ ହୋଇଥିଲା। ଏମ୍ପକ୍ସ କ୍ଲାଡ୍ ୧ବି ପ୍ରଜାତି ଦକ୍ଷିଣ ଆଫ୍ରିକାରେ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏଥିପାଇଁ ଅତି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ଭାରତରେ ପ୍ରଥମ ଥର ପାଇଁ ୨୦୨୨ରେ ଏମ୍ପକ୍ସ ମାମଲା ଚିହ୍ନଟ ହୋଇଥିଲା। ସେବେଠାରୁ ବର୍ତ୍ତମାନ ସୁଦ୍ଧା ୩୨ ଜଣ ଏହି ରୋଗରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି।
ତେବେ ସଂପ୍ରତି ଚିହ୍ନଟ ହୋଇଥିବା କ୍ଲାଡ ୧ବି ଷ୍ଟ୍ରେନ୍ ମାରାତ୍ମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଗତମାସରେ ଘୋଷଣା କରିଛି। କଙ୍ଗୋ ଏବଂ ଏହାର ପଡ଼ୋଶୀ ଦେଶଗୁଡ଼ିକରେ ଏହି ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଥିଲା। ଏଥିସହିତ ପୂର୍ବରୁ କ୍ଲାଡ ୧ ସଂକ୍ରମଣ ଯୌନ ସଂପର୍କ ଦ୍ବାରା ବ୍ୟାପୁ ନଥିବା ବେଳେ କ୍ଲାଡ ୧ବି ପ୍ରଜାତିର ସଂକ୍ରମଣ ଯୌନ ସଂପର୍କ ଦ୍ବାରା ବ୍ୟାପିବା ଦେଖିବାକୁ ମିଳିଛି। ଏଥିପାଇଁ ହୁ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ଉଦ୍ବେଗଜନକ ସ୍ବାସ୍ଥ୍ୟ ସମସ୍ୟା ଭାବେ ଘୋଷଣା କରିଛି। ପୂର୍ବରୁ ୨୦୨୨ ଜୁଲାଇରୁ ୨୦୨୩ ମେ ମଧ୍ୟରେ ଏମ୍ପକ୍ସକୁ ଏପରି ଘୋଷଣା କରାଯାଇଥିଲା।
ଏମ୍ପକ୍ସ ରୋଗରେ ସାଧାରଣତଃ ଜଣେ ବ୍ୟକ୍ତିଙ୍କ ଠାରେ ଜ୍ବର, ମୁଣ୍ଡବିନ୍ଧା, ମାଂସପେଶୀ ବିନ୍ଧା, ପିଠି ଯନ୍ତ୍ରଣା, ଦୁର୍ବଳ ଅନୁଭବ କରିବା, ଚର୍ମରେ ଫୋଟକା ଆଦିର ଲକ୍ଷଣ ଦେଖାଯାଇଥାଏ। ରୋଗୀ ଆପେ ଭଲ ହେବାର ସମ୍ଭାବନା ଥିଲେ ମଧ୍ୟ ମୃତ୍ୟୁର ଆଶଙ୍କା ଏହି ରୋଗରେ ରହିଛି। ବିଶେଷକରି ଶିଶୁ ଏବଂ ଦୁର୍ବଳ ପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିଙ୍କ ସମସ୍ୟା ଜଟିଳ ହୋଇଥାଏ।
ସୁସ୍ଥ ହୋଇ ଫେରିଲେ ଏମ୍ପକ୍ସ ରୋଗୀ
ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରେ ଦିଲ୍ଲୀ ଏଲ୍ଏନ୍ଜେପି (ଲୋକ ନାୟକ ଜୟପ୍ରକାଶ ନାରାୟଣ) ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଏମ୍ପକ୍ସ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ୨୬ ବର୍ଷୀୟ ଏହି ରୋଗୀ ଗତ ଶନିବାର ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସ୍ପଷ୍ଟ କରାଯାଇଛି। ହରିୟାଣା ହିସାର୍ର ୨୬ ବର୍ଷୀୟ ରୋଗୀ ସେପ୍ଟେମ୍ବର ୮ ତାରିଖରେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେପ୍ଟେମ୍ବର ୯ରେ ସେ ଏମ୍ପକ୍ସ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା। ଏହାର ୧୨ ଦିନ ପରେ ସେ ସେପ୍ଟେମ୍ବର ୨୧ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏଲ୍ଏନ୍ଜେପିରେ ୨୦ଟି ଆଇସୋଲେସନ୍ ରୁମ୍ ଅଛି। ଏଥି ମଧ୍ୟରୁ ୧୦ଟି ରୁମ୍ ସନ୍ଦିଗ୍ଧ ଏମ୍ପକ୍ସ ରୋଗୀଙ୍କ ପାଇଁ ଏବଂ ଅବଶିଷ୍ଟ ଆଇସୋଲେସନ୍ ରୁମ୍ ଏମ୍ପକ୍ସ ସ୍ପଷ୍ଟ ହୋଇଥିବା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ।