ଶ୍ରୀଲଙ୍କାରେ ପୁଣି ଜାରି ହେଲା ଜରୁରୀ ପରିସ୍ଥିତି

କଲମ୍ବୋ : ଭୟଙ୍କର ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତି ସୁଧିୁରିବା ବଦଳରେ ଦିନକୁ ଦିନ ଅଧିକ ଜଟିଳ ହୋଇଚାଲିଛି । ଦେଶରେ ଜନ ଆନ୍ଦୋଳନ ଏବେ ବି ଜାରି ରହିଥିବାରୁ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ପୁଣି ଥରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି ।

ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବା ପରେ ରାନିଲ କାମଚଳା ରାଷ୍ଟ୍ରପତି ନିଯୁକ୍ତି ହୋଇଛନ୍ତି । ଆସନ୍ତା ୨୦ ତାରିଖରେ ନୂଆ ରାଷ୍ଟ୍ରପତି ପଦ ପାଇଁ ଶ୍ରୀଲଙ୍କାର ସଂସଦରେ ନିର୍ବାଚନ ହେବ ।  ଏହା ପୂର୍ବରୁ ଦେଶରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି ।

ଏହି ଜରୁରି ପରିସ୍ଥିତି ଜାରି କରି ବିକ୍ରମସିଂହେଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ ସର୍ବସାଧାରଣଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ରକ୍ଷା, ଅତ୍ୟାବଶ୍ୟକ ସାମଗ୍ରୀର ସୁରକ୍ଷିତ ଯୋଗାଣ ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଏହି ଦେଶ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏହାଫଳରେ ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରୁଛନ୍ତି । ଏଥିପାଇଁ ଗତ ଏପ୍ରିଲ ପରଠାରୁ ଏ ପର୍ଯ୍ୟନ୍ତ ଏହି ଦେଶରେ ବାରମ୍ବାର ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି । ଏହା ସତ୍ତ୍ବେ ଲୋକମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

 

ସମ୍ବନ୍ଧିତ ଖବର