ଢାକା ଯାଉଥିବାବେଳେ ପାଇଲଟଙ୍କୁ ହେଲା ହୃଦଘାତ, ନାଗପୁରରେ ଜରୁରୀ ଅଵତରଣ କଲା ବିମାନ

ନାଗପୁର: ଆକାଶରେ ଥିବାବେଳେ ପାଇଲଟଙ୍କୁ ହେଲା ହୃଦଘାତ | ଆଉ ହୃଦଘାତ ସତ୍ତ୍ୱେ ବି ସହ ପାଇଲଟ ସୁରକ୍ଷିତ ଭାବେ ବିମାନକୁ ଅଵତରଣ କରାଇଥିବାରୁ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି | ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଆଜି ମଧ୍ୟାହ୍ନରେ ଏକ ବାଂଲାଦେଶୀ ବିମାନ ଜରୁରୀ ଅଵତରଣ କରିଛି | ମିଳିଥିବା ସୂଚନା ମୁତାବକ ୧୨୬ ଜଣ ଯାତ୍ରୀଙ୍କୁ ନେଇ ବାଂଲାଦେଶର ବିମାନ ଏୟାରଲାଇନ୍ସର ଏକ ବିମାନ ମସ୍କାଟରୁ ଢାକା ଅଭିମୁଖେ ଯାଉଥିଲା ।

ବିମାନଟି ଭାରତ ଆକାଶରେ ଥିବାବେଳେ ପାଇଲଟଙ୍କୁ ହଠାତ ହୃଦଘାତ ହୋଇଥିଲା। ଏହି ସମୟ ମଧ୍ୟରେ ବିମାନଟି ରାୟପୁର ନିକଟରେ ଥିଲା ଏବଂ ଏହା ଜରୁରୀ ଅବତରଣ ପାଇଁ କୋଲକାତା ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ) ସହିତ ଯୋଗାଯୋଗ କରିଥିଲା ​​| କୋଲକାତା ଏଟିସି ପକ୍ଷରୁ ବିମାନର ସହ ପାଇଲଟଙ୍କୁ ନାଗପୁର ବିମାନବନ୍ଦରରେ ଅବତରଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଆଉ କୋଲକାତା ଏଟିସି ପକ୍ଷରୁ ନାଗପୁର ବିମାନବନ୍ଦରର ଏଟିସି ସହ ଯୋଗାଯୋଗ କରାଯାଇଥିଲା |

ନାଗପୁର ବିମାନବନ୍ଦର ଏଟିସି ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ବିମାନଟି ୧୧.୪୦ ମିନିଟରେ ନାଗପୁରରେ ଅବତରଣ କରିଥିଲା। ଏହା ପରେ ପାଇଲଟଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ସୁରକ୍ଷିତ ଅଵତରଣ ପାଇଁ ଯାତ୍ରୀମାନେ ସହ ପାଇଲଟଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ସମ୍ବନ୍ଧିତ ଖବର