ଓଡ଼ିଶାର ୨୦ଟି ବୃହତ୍ ଡ୍ୟାମ୍ ପାଇଁ ଜରୁରୀକାଳୀନ କାର୍ଯ୍ୟ ଯୋଜନା ରହିଛି: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ : ଓଡ଼ିଶାର ୨୦ଟି ବୃହତ୍ ଡ୍ୟାମ୍‌ ପାଇଁ ଜରୁରୀକାଳୀନ କାର୍ଯ୍ୟ ଯୋଜନା (ଏମରଜେନସି ୱାର୍କ ପ୍ଲାନ୍) ରହିଛି। ଏଗୁଡ଼ିକ ହେଲା ଅଶୋକ ନଳା, ବଙ୍କ୍‌ସାଲ୍, ଭାସ୍‌କେଲ୍, ଦାହା, ଦାମ୍‌ସାଲ, ଦେରଜାଙ୍ଗ, ଅନେଇ, ହିରାକୁଦ, ଟୁମୁକା, କାଲୁ, ନେଶା, ପିଲାସାଲୁକି, ପିତମହଲ, ସାଲିଆ, ସାପୁଆ, ସାରଙ୍ଗଗଡ଼, ଶାଢ଼ିଗୁଡ଼ା (ମାଲ୍‌କାନ୍‌ଗିରି), ଶାଡ଼ିଗୁଡ଼ା (ୟୁକେପି), ସୁନ୍ଦର ଓ ତଳସରା। ଏସବୁ ବୃହତ୍ ଡ୍ୟାମଗୁଡ଼ିକ ଓଡ଼ିଶା ଜଳ ସମ୍ପଦ ବିଭାଗ ଅନ୍ତର୍ଗତ ରହିଛି। ସମଗ୍ର ଦେଶରେ ବନ୍ୟା ପରିଚାଳନା କାର୍ଯ୍ୟକୁ ନିର୍ଦ୍ଧାରଣ କରିବା ରଣନୀତିକୁ ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସଦ୍ୟତମ ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ ଅଛି।

ରିପୋର୍ଟରେ ଦେଶର ସମୁଦାୟ ୧୯୩ ଟି ବୃହତ୍ ଡ୍ୟାମ୍‌ ପାଇଁ ଜରୁରିକାଳୀନ କାର୍ଯ୍ୟ ଯୋଜନା ରହିଥିବାର ଉଲ୍ଲେଖ କରାଯାଇଛି। ରିପୋର୍ଟରେ ନେସନାଲ ରିମୋର୍ଟ ସେନ୍‌ସିଂ ସେଣ୍ଟର ଦ୍ୱାରା ବନ୍ୟାର ଆଶଙ୍କା ଥିବା ଓଡ଼ିଶା ସମେତ ଆସାମ୍, ବିହାର ପାଇଁ ବନ୍ୟା ଆଶଙ୍କା ଆଟ୍‌ଲାସ୍ ପ୍ରସ୍ତୁତ କରାଯାଇଥିଲା ଯାହାକୁ ସମ୍ବନ୍ଧିତ ରାଜ୍ୟମାନଙ୍କ ଦ୍ୱାରା ଜାରି କରାଯାଇଥିବାର କୁହାଯାଇଛି। ନିତି ଆୟୋଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ ମହାନଦୀ (ଓଡ଼ିଶା) ବେଶିନ୍‌ର ଡେଲ୍‌ଟା ଭାଗ ବନ୍ୟା ପ୍ରବଣ ବୋଲି ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେଉଁଠି ପ୍ରାରମ୍ଭିକ ଚେତାବନୀ ପ୍ରସାର ପ୍ରଣାଳୀକୁ କାର୍ଯ୍ୟକାରୀ କରାଯାଇଛି ବୋଲି ଦର୍ଶାଯାଇଛି। ପ୍ରାରମ୍ଭିକ ଚେତାବନୀ ପ୍ରସାର ପ୍ରଣାଳୀ ଅନ୍ତର୍ଗତ ବନ୍ୟାର ଆଗୁଆ ସୂଚନାକୁ ରାଜ୍ୟରୁ ଜିଲ୍ଲା ତଥା ଜିଲ୍ଲାରୁ ବ୍ଲକ୍ ଓ ଗୋଷ୍ଠୀକୁ ପ୍ରସାରିତ କରାଯାଉଥିବାର ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ବନ୍ୟା ପରିଚାଳନା, ବନ୍ୟା ପରିଚାଳନା ଯୋଜନା, ଭାରତ ପାଇଁ ଜାତୀୟ ଜଳ ମଡେଲ, ଦେଶର ପ୍ରମୁଖ ବନ୍ୟା ସମ୍ପର୍କରେ ବିବରଣୀ ପ୍ରଦାନ କରାଯିବା ସହିତ ବନ୍ୟା ପରିଚାଳନାକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ସୁପାରିଶ କରାଯାଇଛି।

ସମ୍ବନ୍ଧିତ ଖବର