ଆଗକୁ ବଢ଼ୁଛି ଋଷ ସେନା, ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ: ଋଷର ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ୟୁକ୍ରେନର ସୁରକ୍ଷା ପରିଷଦ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହାପୂର୍ବରୁ ୟୁକ୍ରେନର ବରିଷ୍ଠ ସୁରକ୍ଷା ଅଧିକାରୀ କହିଥିଲେ ଯେ ଡୋନେସ୍କ ଏବଂ ଲୁଗାନସ୍କ ଅଞ୍ଚଳ ବ୍ୟତୀତ ୟୁକ୍ରେନ ସମସ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବ। ଏବେ ଏହାକୁ ଲାଗୁ କରିଦିଆଯାଇଥିବା ସହ ୩୦ ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ଏବଂ ଏହାକୁ ଆହୁରି ୩୦ଦିନ ବଢ଼ାଯିବ କି ନାହିଁ, ତାହା ୩୦ଦିନ ଶେଷ ହେବା ପରେ ନିଷ୍ପତ୍ତି ନିଆଯିବ।

ସୋମବାର, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପୂର୍ବ ୟୁକ୍ରେନର ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଅଞ୍ଚଳ, ଡୋନେସ୍କ ଏବଂ ଲୁଗାନସ୍କ ପିପୁଲ୍ସ ରିପବ୍ଲିକକୁ ଏକ ସ୍ବାଧୀନ ଦେଶ ଭାବରେ ସ୍ୱୀକୃତି ଦେଇଥିଲେ। ସୋମବାର ରାତିରେ ପୁତିନ ଟେଲିଭିଜନରେ ଦେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଥିଲେ। ପୁତିନ ଏହା ମଧ୍ୟ କହିଥିଲେ ‌ଯେ, ଋଷର ସୈନ୍ୟମାନେ ଡୋନେସ୍କ ଏବଂ ଲୁଗାନସ୍କକୁ  ପ୍ରବେଶ କରିବେ ଏବଂ ସେହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବେ। ରାଷ୍ଟ୍ରପତିଙ୍କ ଆଦେଶ ଅନୁଯାୟୀ ଡୋନେସ୍କ ଏବଂ ଲୁଗାନସ୍କରେ ଶାନ୍ତି ବଜାୟ ରଖିବା ପାଇଁ ଋଷର ସୈନ୍ୟମାନେ ଆଗକୁ ବଢ଼ୁଥିବା ଜଣାପଡ଼ିଛି। ଏହାକୁ ନଜରରେ ରଖି ଏବେ ୟୁକ୍ରେନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।

ତେବେ ଋଷ ସେନା ଆଗକୁ ବଢ଼ୁଥିବାରୁ ଆମେରିକା, ବ୍ରିଟେନ ଓ ଜର୍ମାନୀ ଭଳି ଦେଶ ଋଷ ବିରୋଧରେ କଡ଼‌ା ପଦକ୍ଷେପ ନେଇଛନ୍ତି। ଆର୍ଥିକ କଟକଣା ଲଗାଇବା ସହ ଜର୍ମାନୀ ରୁଷ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଗ୍ୟାସ୍‌ ପାଇପ୍‌ଲାଇନ୍‌ ପ୍ରକଳ୍ପ ‘ନୋର୍ଡ ଷ୍ଟ୍ରିମ୍‌-୨’ କାମକୁ ଅଟକାଇ ଦେଇଛି। ବ୍ରିଟେନ୍‌ ରୁଷ୍‌ ରାଷ୍ଟ୍ରଦୂତଙ୍କୁ ସମନ କରି ୟୁକ୍ରେନ୍‌ ମାମଲା ନେଇ ବର୍ଷିଛି। ୟୁରୋପୀୟ ସଂଘ ମଧ୍ୟ ରୁଷ୍‌ର ସମସ୍ତ ପ୍ରମୁଖ ବ୍ୟାଙ୍କ୍‌ କାରବାରକୁ ଠପ୍‌ କରିଦେବା ପାଇଁ ନିଷ୍ପତ୍ତି ନେଇଛି। ଏ ବାବଦରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଏହାକୁ ୨୭ଟି ରାଷ୍ଟ୍ର ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ଜଣାପଡ଼ିଛି। ତେବେ ୟୁରୋପୀୟ ରାଷ୍ଟ୍ର ସଂଘ ଏବଂ ଆମେରିକାର ଯେ କୌଣସି କଟକଣାକୁ ପ୍ରତିହତ କରିବା ପାଇଁ ପୁଟିନ୍‌ଙ୍କର ବିଶାଳ ଯୋଜନା ରହିଛି ବୋଲି ମଧ୍ୟ କୂଟନୀତି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର