ଅନ୍ତର୍ଜାତୀୟ ଏମି ପୁରସ୍କାର ଘୋଷିତ : ନିରାଶ ହେଲେ ନଓ୍ବାଜୁଦ୍ଦିନ, ବୀର ଦାସ୍

ନ୍ୟୁୟର୍କ : ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୧ ଘୋଷଣା ହୋଇଛି । ବ୍ରିଟିଶ ଅଭିନେତା ଡେଭଡ୍ ଟେନାଣ୍ଟଙ୍କୁ ‘ଦେସ୍’ ପାଇଁ ଶ୍ରେଷ୍ଠ କଳାକାର ଓ ଇସ୍ରାଏଲୀ ଟିଭି ସିରିଜ୍ ତେହେରାନକୁ ଶ୍ରେଷ୍ଠ ଡ୍ରାମା ସିରିଜ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି କଲ ମାଇ ଏଜେଣ୍ଟ-ସିଜିନ-୪କୁ ଶ୍ରେଷ୍ଠ କମେଡି ସିରିଜର ପୁରସ୍କାର ମିଳିଛି ।

ଏହି ପୁରସ୍କାର ପାଇଁ ଭାରତରୁ ୩ଟି ମନୋନୟନ ଯାଇଥିଲା । ଭାରତରୁ ନଓ୍ବାଜୁଦ୍ଦିନ ସିଦ୍ଦିକି, ବୀର୍ ଦାସ ଓ ସୁସ୍ମିତା ସେନ ଅଭିନୀତ ‘ଆରିଆ’ ମନୋନୀତ ହୋଇଥିଲା । କିନ୍ତୁ ସେମାନେ ପୁରସ୍କାର ଜିତିବାରେ ବିଫଳ ହୋଇଛନ୍ତି । ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ସୁଧୀର ମିଶ୍ରଙ୍କ ଚଳଚ୍ଚିତ୍ର ‘ଦ ସିରିୟସ ମ୍ୟାନ’ରେ ଉତ୍କୃଷ୍ଠ ଅଭିନୟ ପାଇଁ ନଓ୍ବାଜୁଦ୍ଦିନଙ୍କ ମନୋନୟନ କରାଯାଇଥିଲା । କମେଡି ପାଇଁ ବୀର ଦାସଙ୍କୁ ମନୋନୀତ କରାଯାଇଥିଲା । କିନ୍ତୁ ଏହି ବର୍ଗରେ ବାଜିମାରି ନେଇଛି ଫରାସୀ କମେଡି ସିରିଜ୍  ‘କଲ ମାଇ ଏଜେଣ୍ଟ-ସିଜିନ-୪’ ।

ଡିଜନି-ହଟଷ୍ଟାରେ ଷ୍ଟ୍ରିମ ହୋଇଥିବା ସୁସ୍ମିତା ସେନ ଅଭିନୀତ ‘ଆରିଆ’ ଶ୍ରେଷ୍ଠ ଡ୍ରାମା ସିରିଜ ପାଇଁ ମନୋନୀତ ହୋଇଥିଲା । ଏହି ସିରିଜଟି ଡଚ୍ ଡ୍ରାମା ସିରିଜ ପୋନୋଜାର ଅଫିସିଆଲ ରିମେକ୍ । କିନ୍ତୁ ଏହି ବର୍ଗରେ ବାଜି ମାରିନେଇଛି ଇସ୍ରାଏଲୀ ସିରିଜ ତେହେରାନ ।

ଟେଲିଭିଜନ କ୍ଷେତ୍ରରେ ଉତ୍କର୍ଷ ପାଇଁ ଇଣ୍ଟରନ୍ୟାସନାଲ ଏକାଡେମୀ ଅଫ ଟେଲିଭିଜନ ଆର୍ଟ୍ସ ଏଣ୍ଡ ସାଇନ୍ସ ପକ୍ଷରୁ ଏମି ପୁରସ୍କାର ଦିଆଯାଏ ।

ସମ୍ବନ୍ଧିତ ଖବର