ନୂଆଦିଲ୍ଳୀ : ପାରାଦୀପ ବନ୍ଦର ରେଲୱେ ସାଇଡିଂରୁ ନୂଆଗାଁ, ଗନ୍ଧମାର୍ଦ୍ଦନ ଓ ଗୋଣୁଆ ଲୁହାପଥର ଖଣି ପର୍ଯ୍ୟନ୍ତ ରାସ୍ତା ସଂଯୋଗୀକରଣ ନଥିବା ଯୋଗୁଁ ଅଧିକ ପରିବହନ ଖର୍ଚ୍ଚ ହେଉଛି। ଖଣି-ବନ୍ଦର ଦୂରତାକୁ ହ୍ରାସ କରିବା ପାଇଁ ରେଳଲାଇନର ଅଭାବ ରହିଛି। ଦୋହରୀକରଣ ପ୍ରକଳ୍ପରେ ପରିବେ‌ଶ ମଂଜୁରିରେ ହେଉଥିବା ବିଳମ୍ବ ଯୋଗୁଁ ସୁକିନ୍ଦା-ଜାରୋଲୀ, ଲୁହା ପଥର ରେକ୍‌ ଗତିରେ ହ୍ରାସ ଆସିଛି ବୋଲି ରାଜ୍ୟସଭା ସାଂସଦ ଟି.ଜି. ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଗଠିତ ପରିବହନ,ପର୍ଯ୍ୟଟନ ଓ ସଂସ୍କୃତି ସଂପର୍କିତ ସଂସଦୀୟ ସ୍ଥାୟୀ କମିଟି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।

Advertisment

କମିଟି ଦ୍ବାରା ସଂସଦରେ କନେକଟିଭିଟି ଆଣ୍ଡ ଟ୍ୟୁରିଷ୍ଟ ଫାସିଲିସିଟିସ ଶୀର୍ଷକ ରିପୋର୍ଟ ଉପସ୍ଥାପନ କରାଯାଇଛି। ରିପୋର୍ଟରେ ରେଲୱେ ସବୁଠାରୁ ଦ୍ରୁତତମ ପରିବହନ ମାଧ୍ୟମ ହୋଇଥିବାରୁ ଏକାଥରକେ ବିପୁଳ ପରିମାଣର ଲୁହାପଥର ପରିବହନ କରିପାରିବ ଏବଂ ସଡ଼କ ପରିବହନ ତୁଳନାରେ ସ୍ବଳ୍ପ ପରିମାଣର ପରିବେଶ ପ୍ରଦୂଷିତ କରିବ ବୋଲି କମିଟି ମତ ରଖିଛି। ମାଇନ-ଟୁ-ରୋଡ ପ୍ରକଳ୍ପ ଶୀଘ୍ର କରିବା ପାଇଁ ପ୍ରୟାସ କରାଯିବା ଦରକାର। ପ୍ରକଳ୍ପଗୁଡିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପରିବେଶ ମଂଜୁରି ପ୍ରକିୟାକୁ ଫାଷ୍ଟ ଟ୍ରାକ ଆଧର‌ରେ କରିବାକୁ ପଡ଼ିବ। କମିଟି ସୁପାରିସରେ କହିଛି ଖଣିଗୁଡ଼ିକ ନିକଟରେ ରେଲୱେ ସାଇଡିଂ ଗୁଡ଼ିକୁ ବିକଶିତ କରିବା ପାଇଁ ପଦକ୍ଷେପ ନେବା ସହିତ ଆବଶ୍ୟକୀୟ ମଂଜୁରି ଗୁଡ଼ିକୁ ହାସଲ କରିବାକୁ ପଡ଼ିବ। ପ‌ାରାଦୀପ ବନ୍ଦରକୁ ସଂଯୋଗୀକରଣରେ କିଛି ରେଳ ଓ ସଡ଼କ ପ୍ରକଳ୍ପ ବର୍ଷ ବର୍ଷରୁ ଅନେକ କାରଣ ଯୋଗୁଁ ପଡ଼ି ରହିଛି। କମିଟି ସୁପାରିସରେ କହିଛି କେନ୍ଦ୍ର ରେଳ ମନ୍ତ୍ରାଳୟ, ବନ୍ଦର,ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ତଥା ରାଜ୍ୟ ସରକାରଙ୍କୁ ଖୁବ ଶୀଘ୍ର ପ୍ରକଳ୍ପଗୁଡିକର କାର୍ଯ୍ୟଗୁଡିକ କ୍ରିୟାନ୍ବୟନ କରିବାକୁ ପଡିବ। ଏ ଦିଗରେ ବନ୍ଦର,ଜାହାଜ ଚଳାଚଳ ଓ ଜଳପଥ ସଚିବ ପଦେକ୍ଷପ ନେଇ ପ୍ରକଳ୍ପଗୁଡିକୁ ବିଳମ୍ବ ନ କରି ଶୀଘ୍ର ଶେଷ କରିବା ପାଇଁ କୁହାଯାଇଛି।

କମିଟି କହିଛି ସର୍ବାଧିକ ଲୁହା ପଥର ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରହିଛି। ଲୁହା ଓ ଇସ୍ପାତ ଉଦ୍ୟୋଗ ତଥା ପରିବହନ ବ୍ୟବସ୍ଥା,ଏୟାରକ୍ରାଫଟ ଓ ଅଟୋମୋବାଇଲ ଉଦ୍ୟୋଗ, ରିଏଲ ଇଷ୍ଟେଟ,ବିଲ୍ଡିଂ ଉଦ୍ୟୋଗ ବିକାଶରେ ଓଡ଼ିଶା ଗୁରତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପାରାଦୀପ ବନ୍ଦରରୁ ଲୁହା ପଥରର ତ୍ବରିତ ପରିବହନକୁ ସୁନିଶ୍ଚିତ କରିବା ପାଇଁ ସଂସଦୀୟ ସ୍ଥାୟୀ କମିଟି ସୁପାରିସ କରିଛି। କନେକଟିଂ ରୋଡ୍‌ଗୁଡିକୁ ସମୟ ସୀମା ଭିତରେ ତିଆରି କରିବା ଏବଂ ଏ ଦିଗରେ ନୀତି ପ୍ରସ୍ତୁତ କରିବା ତଥା ଉପରୋକ୍ତ ଉଦ୍ୟୋଗଗୁଡିକର ବିକାଶକୁ ସୁନିଶ୍ଚିତ କରାଯାଇପାରିବ ଯାହାଦ୍ବାରା ଆର୍ଥିକ ଅଗ୍ରଗତି ହୋଇପାରିବ ବୋଲି କମିଟି କହିଛି।