ନିର୍ବାଚନ ପରେ ଛୁଟିରେ ଯିବାକୁ କର୍ମଚାରୀଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ସୁଚାରୁରୂପେ ପରିଚାଳନା କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧୀନରେ ୧ କୋଟି ୧୦ ଲକ୍ଷ (୧୧ ମିଲିୟନ) ସରକାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସ୍ବଚ୍ଛ ଓ ଅବାଧ ନିର୍ବାଚନ ପରିବାଳନା କରିବାପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି ଏବଂ ଆହୁରି ୫ ପର୍ଯ୍ୟାୟ ନିର୍ବାଚନ ବାକି ଅଛି। ସମଗ୍ର ନିର୍ବାଚନ ପ୍ରକ୍ରିୟା ମେ’ ୨୭ ତାରିଖରେ ସମ୍ପନ୍ନ ହେବ। ‌ଏହାପରେ ଚାପରୁ ମୁକ୍ତ ହେବେ ନିର୍ବାଚନ ଦା‌ୟିତ୍ବରେ ଥିବା ସରକାରୀ କର୍ମଚାରୀ। ଦୀର୍ଘ ଦିନର କାର୍ଯ୍ୟବ୍ୟସ୍ତତା‌ ପରେ ମନ ମସ୍ତିଷ୍କ ଟିକେ ହାଲୁକା କରିବାପାଇଁ ଏହି ସରକାରୀ କର୍ମଚାରୀମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବେ। ଏନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଅନେକ ସରକାରୀ କର୍ମଚାରୀ ଦେଶ ଓ ବିଦେଶର ବଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବା ପାଇଁ ବର୍ତ୍ତମାନ ଠାରୁ ବୁକିଂ ଆରମ୍ଭ କରିଦେଲେଣି। ବିଭିନ୍ନ କମ୍ପାନି ଓ ଟ୍ରାଭେଲ ଏଜେନ୍ସିମାନଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ହେଲେ ନିର୍ଦ୍ଦିଷ୍ଟ କେତେ ସଂଖ୍ୟକ କର୍ମଚାରୀ ଦେଶ ବିଦେଶର ପର୍ଯ୍ୟଟନ ସ୍ଥଳ ବୁଲିବା ପାଇଁ ବୁକିଂ କରିଛନ୍ତି ସେସମ୍ପର୍କରେ ସ୍ପଷ୍ଟ ରୂପେ କୌଣସି ସୂଚନା ମିଳି ପାରିନଥିବା ବେଳେ ଏହି ଟ୍ରେଣ୍ଡ୍ ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଥିବା ଟ୍ରାଭେଲ ଏଜେଣ୍ଟମାନଙ୍କ ପାଖରୁ ଜଣା ପଡ଼ିଛି। ଟୁର୍ ଅପରେଟର ମାନଙ୍କ କହିବା ଅନୁଯାୟୀ ୨୦୧୪ ସାଧାରଣ ନିର୍ବାଚନ ସମୟରେ ୫୫ ଲକ୍ଷ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ପାଖାପାଖି ୨୫ ପ୍ରତିଶତ କର୍ମଚାରୀ ନିର୍ବାଚନ ପରେ ଦେଶ ବିଦେଶ ପରିଦର୍ଶନ ପାଇଁ ବୁକିଂ କରିଥିଲେ। ତେବେ ୨୦୧୪ ତୁଳନାରେ ଏଥର ସରକାରୀ କର୍ମଚାରୀମାନେ ଅଧିକ ସଂଖ୍ୟାରେ ବୁକିଂ କରିପାରନ୍ତି ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରୁ ଜଣାପଡ଼ିଛି।

ଓଡ଼ିଶା, କଶ୍ମୀର, ହିମାଚଳ ପ୍ରଦେଶ, କେରଳ, ତାମିଲନାଡୁ, ରାଜସ୍ଥାନର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାପାଇଁ କର୍ମଚାରୀମାନଙ୍କ ବେଶୀ ଆଗ୍ରହ ଥିବା ଜଣାପଡ଼ିଛି। କିଛି ସରକାରୀ କର୍ମଚାରୀ ଇଣ୍ଡରନ୍ୟାସନାଲ ଟୁର୍ ଡେଷ୍ଟିନେସନ ପାଇଁ ଆଗ୍ରହ ପ୍ରକାଶ କରି ବୁକିଂ ଆରମ୍ଭ କରିସାରିଛନ୍ତି। ଇଣ୍ଡରନ୍ୟାସନାଲ ଟୁର୍ ଡେଷ୍ଟିନେସନରେ ମରିସସ୍, ମାଲେସିୟା, ମାଳଦ୍ବୀପ, ସିଙ୍ଗାପୁର ଭ୍ରମଣର ଚାହିଦା ଅଧିକ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର