ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ: ଟିକା ନନେଲେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ

ଚଣ୍ଡିଗଡ଼: କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଏବେ ଟିକେ କମ ହୋଇଛି। ଏହା ସହ ପୁଣି ଦେଶ ସ୍ୱଭାବିକ ଦିଗରେ ଗତି କରିବା ଆରମ୍ଭ କରିଛି । ଅନ୍ୟପଟେ କରୋନାଠାରୁ ଜିତିବାକୁ ସାରା ଦେଶରେ ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ସରକାର । ସଚେତନତା ଓ ଏହାକୁ ଏକ ଦାୟିତ୍ୱ ଭାବି ଦେଶର ଲୋକମାନେ ବି ଟିକା ନେବାକୁ ଆଗ୍ରହ ଦେଖାଉଥିବାରୁ ଏବେ ସାରା ବିଶ୍ୱରେ ଭାରତ ଟିକାକରଣକୁ ନେଇ ରେକର୍ଡ କରିଛି । ଏହାରି ମଧ୍ୟରେ ଟିକା ନେବାରେ ଅବହେଳା କରୁଥିବା କିଛି ସରକାରୀ କର୍ମଚାରୀଙ୍କ ପ୍ରତି କଠୋର ହୋଇଛନ୍ତି କିଛି ରାଜ୍ୟ ସରକାର । ଏହି କ୍ରମରେ ପଞ୍ଜାବ ସରକାର ଟିକା ନେଇ ନଥିବା ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ରାଜ୍ୟର ଯେଉଁ ସରକାରୀ କର୍ମଚାରୀମାନେ ଟିକାର ଗୋଟିଏ ବି ଡୋଜ ନେଇ ନାହାନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ ।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ପଞ୍ଜାବ ସରକାରରେ ଯେଉଁ କର୍ମଚାରୀ (ମେଡିକାଲ କାରଣ ବ୍ୟତୀତ) କୋଭିଡ-୧୯ ଟିକା ନେଇ ନାହାନ୍ତି, ସେମାନଙ୍କୁ ସେପ୍ଟେମ୍ବର ୧୫ ତାରିଖ ପରେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ ।

ଅନ୍ୟପଟେ ପଞ୍ଜାବରେ ପାର୍ବଣକୁ ନଜରରେ ରଖି କରୋନା କଟକଣାକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ରାଜନୈତିକ ଓ ଅନ୍ୟ ସଭା ପାଇଁ ସର୍ବାଧିକ ୩୦୦ ଲୋକଙ୍କୁ ଅନୁମତି ମିଳିବ । ଏହାସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ହେବ।

ସମ୍ବନ୍ଧିତ ଖବର