ତାଲିବାନର ଅଜବ ନିୟମ: ଅଫିସ ଆସି ପାରିବେ ନାହିଁ ଦାଢି ରଖିନଥିବା କର୍ମଚାରୀ

ଦାଢ଼ି ରଖିବେ ସରକାରୀ କର୍ମଚାରୀ। ଅଫିସ ଆସି ପାରିବେ ନାହିଁ ଦାଢି ରଖିନଥିବା କର୍ମଚାରୀ। ଖାଲି ଏତିକି ନୁହେଁ, ଏକୁଟିଆ ମହିଳାମାନଙ୍କୁ ମଧ୍ୟ ବିମାନରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। କେବଳ ସମ୍ପର୍କୀୟଙ୍କ ସହିତ ମହିଳାମାନେ ବିମାନରେ ଯାତ୍ରା କରିପାରିବେ । ଭାରତ ନୁହେଁ ବରଂ ଆଫଗାନିସ୍ତାନରେ ଏଭଳି ଅଜବ ନିର୍ଦ୍ଦେଶନାମା ଜାରି କରିଛି ତାଲିବାନ ସରକାର । ସରକାରୀ ଅଫିସରେ ପୁରୁଷ କର୍ମଚାରୀମାନେ ଦାଢି ରଖିବା ସହିତ ସ୍ଥାନୀୟ ପୋଷାକ ପିନ୍ଧିବାକୁ ବାଧ୍ୟ ବୋଲି କୁହାଯାଇଛି। ବିଶେଷ କରି ଲମ୍ବା କୁର୍ତା ଏବଂ ଢିଲା ପାଇଜାମା ପିନ୍ଧିବାକୁ ଆଫଗାନିସ୍ତାନର ଧାର୍ମିକ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିମାନରେ ଏଣିକି କୌଣସି ମହିଳାଙ୍କୁ ଏକୁଟିଆ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଆଫଗାନିସ୍ତାନର କୌଣସି ଦୋକାନ ଆଗରେ ମହିଳାଙ୍କ ଫଟୋ ଥିବା ବୋର୍ଡ ଲାଗିପାରିବ ନାହିଁ ।

ପ୍ରଥମ ଥର ପାଇଁ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ କ୍ଷମତାକୁ ଆସିଥିଲା ତାଲିବାନ । ଏହି ସମୟରେ ତାଲିବାନ ପକ୍ଷରୁ ଅନେକ ଅଜବ କଟକଣା ଜାରି କରାଯାଇଥିଲା । ସେ ସମୟରେ ବାଳିକା ଓ ଯୁବତୀମାନଙ୍କୁ ସ୍କୁଲ-କଲେଜ ଯିବା ମନା ହୋଇଥିଲା । ୨୦୦୦ ମସିହାରେ ଆଫଗାନିସ୍ତାନରେ ଜଣେ ହେଲେ ବି ଛାତ୍ରୀ ସ୍କୁଲ ଯାଇନଥିଲେ । କୌଣସି ମହିଳା ଏକୁଟିଆ ଘରୁ ବାହାରକୁ ଯିବାକୁ ଅନୁମତି ନଥିଲା । ବାହାରକୁ ଯିବାକୁ ହେଲେ କୌଣସି ପୁରୁଷଙ୍କୁ ସାଥିରେ ନେବାକୁ ପଡୁଥିଲା । ମହିଳାମାନେ ଉଚ୍ଚ‌େ ହିଲ୍ ପିନ୍ଧିବା ଉପରେ ଲାଗିଥିଲା ପ୍ରତିବନ୍ଧକ । ସାର୍ବଜନିକ ସ୍ଥାନରେ ମହିଳାମାନେ କଥାବାର୍ତ୍ତା ହୋଇପାରୁନଥିଲେ । ସେମାନଙ୍କ କଥାବାର୍ତ୍ତା ଯେପରି କୌଣସି ପୁରୁଷଙ୍କ କାନରେ ନପଡିବ ସେଥିପାଇଁ କଡା ନିର୍ଦ୍ଦେଶ ରହିଥିଲା ।

 ଖବରକାଗଜ ଓ ବହିରେ ମହିଳାଙ୍କ ଫଟୋ ରହିବା ମନା ଥିଲା । ସେହିପରି ଦୋକାନ ଏବଂ ଘରେ ମହିଳାଙ୍କ ଫଟୋ ଲାଗିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥିଲା । ମହିଳାଙ୍କ ନାଁରେ କୌଣସି ସ୍ଥାନର ନାମ ରଖାଯାଇନଥିଲା । ଏହି ନିୟମ ପାଳନ ନକଲେ କଠୋର ଦଣ୍ଡ ଦିଆଯାଉଥିଲା । ଏପରି କି ସର୍ବ ସାଧାରଣ ସ୍ଥାନରେ ନିୟମ ଭାଙ୍ଗିଥିବା ମହିଳାଙ୍କୁ ପଥର ମାଡ କରାଯାଉଥିଲା ।..

ସମ୍ବନ୍ଧିତ ଖବର