ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧ ହଜାର ନବନିଯୁକ୍ତଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଦେଶବ୍ୟାପୀ ନବନିଯୁକ୍ତମାନେ ଭାରତ ସରକାରଙ୍କ ବିଭିନ୍ନ ପଦବୀ ଯଥା କନିଷ୍ଠ ଯନ୍ତ୍ରୀ, ଲୋକ ପାଇଲଟ, ଟେକ୍ନିସିଆନ, ନିରୀକ୍ଷକ, ଉପ-ନିରୀକ୍ଷକ, କନେଷ୍ଟବଳ, ଷ୍ଟେନୋଗ୍ରାଫର, କନିଷ୍ଠ ଲେଖାକାର, ଗ୍ରାମ ଡାକ ସେବକ, ଆୟକର ନିରୀକ୍ଷକ, ଶିକ୍ଷକ, ଚିକିତ୍ସକ, ସେବିକା, ସମାଜ ସୁରକ୍ଷା ଅଧିକାରୀ, ପିଏ ଓ ଏମଟିଏସ୍‌ ଭାବେ ନିଯୁକ୍ତି ପାଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଏହି ଅବସରରେ ନବନିଯୁକ୍ତଙ୍କ ସହ ଭାବ ବିନିମୟ କରିଥିଲେ। ପଞ୍ଜାବ ନାସନାଲ ବ୍ୟାଙ୍କରେ ନିଯୁକ୍ତି ପାଇଥିବା ପଶ୍ଚିମବଙ୍ଗର ସୁପ୍ରଭା ବିଶ୍ୱାସ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ନିଯୁକ୍ତି ନିମନ୍ତେ ସମସ୍ତ ଔପଚାରିକତା ଶୀଘ୍ର ଶେଷ କରି ସେବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ପାଠପଢ଼ା ନେଇ ପଚାରି ବୁଝିଥିଲେ। ଶ୍ରୀନଗର ଏନ୍‌ଆଇଟିରେ କନିଷ୍ଠ ସହାୟକ ଭାବେ ନିଯୁକ୍ତି ପାଇଥିବା ଜମ୍ମୁ ଓ କାଶ୍ମୀର ଶ୍ରୀନଗରର ଫାଏସଲ ସୌକତ ଶାହା ସରକାରୀ ଚାକିରି କରିବାରେ ସେ ତାଙ୍କ ପରିବାରରେ ପ୍ରଥମ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ସୁପ୍ରଭା ଓ ଫାଏସଲ୍‌ଙ୍କ ସମେତ ଅନ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଲେ ଯେ ରୋଜଗାର ମେଳା ମୂଲ୍ୟବାନ ନିଯୁକ୍ତିପତ୍ର ପ୍ରଦାନ କରି ୭୧ ହଜାର ପରିବାରଙ୍କୁ ସରକାରୀ ବ୍ୟବସ୍ଥା ମଧ୍ୟକୁ ଆଣିଛି। ସେ ନବନିଯୁକ୍ତମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି କର୍ମନିଯୁକ୍ତି କେବଳ ନବନିଯୁକ୍ତଙ୍କ ମଧ୍ୟରେ ଆଶାର ସଞ୍ଚାର ନ କରି ଏହା କୋଟି କୋଟି ପରିବାର ମଧ୍ୟରେ ଆନନ୍ଦ ଆଣିଦେବ ବୋଲି କହିଥିଲେ। ଏନ୍‌ଡିଏ ଶାସିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିୟମିତ ରୋଜଗାର ମେଳା ମାନ ଆୟୋଜିତ ହୋଇଥିବାରୁ ଲକ୍ଷ ଲକ୍ଷ ନୂତନ ପରିବାର ଆଗାମୀ ଦିନରେ ସରକାରୀ ଚାକିରି ପାଇବେ । ଆସାମ ସରକାର ସରକାର ଗତକାଲି ରୋଜଗାର ମେଳା ଆୟୋଜନ କରିଥିବା ବେଳେ ଖୁବଶୀଘ୍ର ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡ ସରକାର ଏହା କରିବାକୁ ଯାଉଛନ୍ତି। ନିୟମିତ ରୋଜଗାର ମେଳା ସରକାରଙ୍କ ଏକ ପ୍ରକ୍ରିୟା ପାଲଟିଛି । ଏଥିରୁ ଜଣାପଡ଼େ ଯେ ସରକାର ଯାହା ସଂକଳ୍ପ ନିଅନ୍ତି ତାଙ୍କୁ କାର୍ଯ୍ୟରେ ପରିଣତ ମଧ୍ୟ କରନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ସେ ଅନେକ ନବନିଯୁକ୍ତଙ୍କ ମୁହଁରେ ଖୁସି ଓ ସନ୍ତୋଷର ଚିହ୍ନ ବାରି ପାରୁଛନ୍ତି ଓ ଅନେକ ନବନିଯୁକ୍ତ ଅତି ସାଧାରଣ ପରିବାର ମଧ୍ୟରୁ ଆସିଥିବା ବେଳେ କେତେକଙ୍କ କ୍ଷେତ୍ରରେ ପାଞ୍ଚ ପିଢ଼ିରେ ଜଣେ ସରକାରୀ ଚାକିରି ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଯେ ସରକାରୀ ଚାକିରି ପାଇଛନ୍ତି ତାହା ନୁହଁ, ପ୍ରାର୍ଥୀମାନେ ଏକ ସ୍ୱଚ୍ଛ ନିଯୁକ୍ତି ପଦ୍ଧତି ଜରିଆରେ ଚାକିରି ପାଇଛନ୍ତି ଓ ସେମାନଙ୍କ ମେଧାକୁ ସ୍ୱୀକୃତି ମିଳିଛି। ଆପଣମାନେ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରିଥିବେ । କେନ୍ଦ୍ର ସରକାରୀ ଚାକିରି ପ୍ରକ୍ରିୟା ଅଧିକ ବ୍ୟବସ୍ଥିତ ଓ ସମୟଭିତ୍ତିକ ହୋଇଛି । ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମ ଉପରେ ଅନେକ ସରକାରୀ ସେବକ ଅନଲାଇନ ପାଠ୍ୟକ୍ରମ କରୁଥିବା ଉପରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରୀ ତାଲିମ ଛଡ଼ା ଏହି ପ୍ଲାଟଫର୍ମର ବ୍ୟକ୍ତିଗତ ବିକାଶ ପାଇଁ ଅନେକ ପାଠ୍ୟକ୍ରମ ମଧ୍ୟ ରଖିଛି ।

ଆଜିର ବଂଶଧରମାନଙ୍କ ନିମନ୍ତେ ପ୍ରଯୁକ୍ତି ଜରିଆରେ ଆତ୍ମଶିକ୍ଷା ଏକ ସୁଯୋଗ ପାଲଟିଛି । ତାଙ୍କ ନିଜ ଭିତରେ ଥିବା ଛାତ୍ରକୁ କେବେ ମରିବାକୁ ଦେଇ ନ ଥିଲେ ବୋଲି ସେ ନିଜ ଉଦାହରଣ ଦେଇ କହିଥିଲେ। ଆତ୍ମଶିକ୍ଷାର ମନୋବୃତ୍ତି ଶିକ୍ଷାର୍ଥୀ ଓ ଦେଶର ସାମର୍ଥ୍ୟ ବୃଦ୍ଧି କରିବ। ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ ଦ୍ରୁତ ପରିବର୍ତ୍ତନଶୀଳ ଭାରତରେ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୁଯୋଗ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି । ଦ୍ରୁତ ଅଭିବୃଦ୍ଧି ଯୋଗୁ ଆତ୍ମନିଯୁକ୍ତି ବୃହତ୍ତର ସମ୍ପ୍ରସାରଣ ଘଟିଥାଏ ଓ ଆଜିର ଭାରତ ଏହାର ସାକ୍ଷୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।