କୋଲକାତା: ପଶ୍ଚିମବଙ୍ଗରେ ଏକ ଇଏମ୍‌ୟୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଶତାଧିକ ଯାତ୍ରୀ ଆଜି ଏକ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଖୁବ୍‌ ଅଳ୍ପକରେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ଘଟିଛି ପୂର୍ବ ରେଳବାଇ ଅଧୀନସ୍ଥ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଦାଇହାଟ ଷ୍ଟେସନ ନିକଟରେ, ଦିନ ପ୍ରାୟ ୧୧ଟା ୧୨ ମିନିଟ ସମୟରେ। ଟ୍ରେନ୍‌ଟି ଏକ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଏଥିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଅତ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ବର୍ତ୍ତି ଯାଇଥିବା ସଂପର୍କରେ ସୂଚନା ଦେଇଛନ୍ତି ପୂର୍ବ ରେଳପଥର ମୁଖପାତ୍ର ଆର୍‌ଏନ୍‌ ମହାପାତ୍ର।

Advertisment

ଏହି ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବ ରେଳପଥର ମୁଖପାତ୍ର ଆର୍‌ଏନ୍‌ ମହାପାତ୍ର କହିଛନ୍ତି ଯେ ସୋମବାର ପୂର୍ବାହ୍ନରେ ହାଓ୍ଵଡାରୁ କଟଓ୍ଵା ଯାଉଥିବା ୩୭୯୧୩ ନମ୍ବର ବିଶିଷ୍ଟ ଇଏମ୍‌ୟୁ ଟ୍ରେନ୍‌ର ଡ୍ରାଇଭର ଆଇ ହାଲଦାର୍‌ ଟ୍ରେନ୍‌ ଚାଲୁଥିବା ଅବସ୍ଥାରେ ଦାଇହାଟ ଷ୍ଟେସନ ପରେ ପରେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସେ ହିଁ ଥିଲେ ଟ୍ରେନ୍‌ର ଏକମାତ୍ର ଡ୍ରାଇଭର। ତେବେ, ସୌଭାଗ୍ୟକୁ ଗୁରୁତର ଅସୁସ୍ଥ ହେବା ପୂର୍ବରୁ ଡ୍ରାଇଭର ଶ୍ରୀ ହାଲଦାର ଯେତେବେଳେ ଅଶ୍ୱସ୍ତି ଅନୁଭବ କଲେ ସେତେବେଳେ ସେ ସଙ୍ଗେ ସଙ୍ଗେ ଜରୁରିକାଳୀନ ବ୍ରେକ୍‌ ଦେଇ ଚଳନ୍ତା ଟ୍ରେନ୍‌କୁ ଧାରଣା ଉପରେ ଅଟକାଇ ଦେଇଥିଲେ। ପରେ ପରେ ସେ ଅଚେତ୍‌ ଅବସ୍ଥାରେ ତାଙ୍କ ଡ୍ରାଇଭର କ୍ୟାବିନ୍‌ ମଧ୍ୟରୁ ସେ ରେଳ ଧାରଣା ଉପରକୁ ଖସି ପଡ଼ିଥିଲେ। ପରେ ସଂପୃକ୍ତ ଟ୍ରେନ୍‌ରେ ଯାତ୍ରା କରୁଥିବା କେତେକ ଯାତ୍ରୀ ଟ୍ରେନ୍‌ର ଗାର୍ଡ ବି. ରାମ୍‌ଙ୍କ ସହାୟତାରେ କଟଓ୍ଵା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଘଟଣା ସଂପର୍କରେ ଖବର ପାଇବାପରେ ନିକଟସ୍ଥ ଷ୍ଟେସନ୍‌ରୁ ଅଧିକାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚିବା ସହ ଅନ୍ୟ ଡ୍ରାଇଭରଙ୍କ ସହାୟତାରେ ଟ୍ରେନ୍‌କୁ ଗନ୍ତବ୍ୟ ପଥରେ ନେଇଥିଲେ।

ତେବେ, ଏହି ଘଟଣା କାରଣରୁ ସଂପୃକ୍ତ ରୁଟ୍‌ରେ ପ୍ରାୟ ଦୁଇ ଘଣ୍ଟା ପାଇଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ପୂର୍ବ ରେଳବାଇ ପକ୍ଷରୁ ଆଜି ସନ୍ଧ୍ୟାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।