ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଜେଲରେ ଥିବା ଜମ୍ମୁ-କଶ୍ମୀରର ବାରାମୁଲା ଆସନର ସାଂସଦ ଇଞ୍ଜିନିୟର ରସିଦଙ୍କୁ ଅଦାଲତରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ସଂସଦର ଚଳିତ ବଜେଟ୍ ଅଧିବେଶନରେ ଯୋଗ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ରସିଦଙ୍କୁ ହାଜତ ପାରୋଲ ପ୍ରଦାନ କରିଛନ୍ତି। ଅଦାଲତ ରସିଦଙ୍କୁ ଦୁଇ ଦିନିଆ ରିମାଣ୍ଡ ପାରୋଲ ପ୍ରଦାନ କରିଛନ୍ତି। ତେବେ କୋର୍ଟ ପାରୋଲ ଦେବା ସହ ଅନେକ ସର୍ତ୍ତ ମଧ୍ୟ ଜାରି କରିଛନ୍ତି।
ଫେବ୍ରୁଆରି ୧୧ ଓ ୧୩ ତାରିଖ ପାଇଁ ଦିଲ୍ଲୀ ହାଇକୋର୍ଟ ସାଂସଦ ଇଞ୍ଜିନିୟର ରସିଦଙ୍କୁ ହାଜତ ପାରୋଲ ପ୍ରଦାନ କରିଛନ୍ତି। ହେପାଜତ ସମୟରେ ରସିଦ ମୋବାଇଲ ଫୋନ୍ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ସଂସଦରେ ଉପସ୍ଥିତ ରହିବାର ସୀମିତ ଦାୟିତ୍ୱ ବ୍ୟତୀତ ରସିଦ କୌଣସି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେ ନାହିଁ ବୋଲି ହାଇକୋର୍ଟ ଉଲ୍ଲେଖ କରିଛନ୍ତି। ଏହାବ୍ୟତୀତ ରସିଦ ଗଣମାଧ୍ୟମ ସହ କୌଣସି ପ୍ରକାର କଥାବାର୍ତ୍ତା କରିବେ ନାହିଁ।
ବାରାମୁଲା ସାଂସଦ ରସିଦ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ସମ୍ମୁଖୀନ ହେଉଛନ୍ତି। ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଏବଂ ଆତଙ୍କବାଦୀ ଗୋଷ୍ଠୀକୁ ପାଣ୍ଠି ଯୋଗାଉଥିବା ଅଭିଯୋଗ ହୋଇଛି ଇଞ୍ଜିନିୟର ରସିଦଙ୍କ ଉପରେ। ୨୦୧୯ରେ ମନି ଲଣ୍ଡରିଂ ମାମଲାରେ ଫସିଥିବା ଏବଂ ଦେଶ ବିରୁଦ୍ଧରେ ଯୁଦ୍ଧ କରିବା ଅଭିଯୋଗରେ ରସିଦଙ୍କୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ବା ୟୁଏପିଏ ଅଧୀନରେ ଗିରଫ କରାଯାଇଥିଲା।