Sambad is now on WhatsApp
Join and get latest news updates delivered to you via WhatsApp
ନୈନିତାଲ: ୧୫ ବର୍ଷରୁ କମ୍ ନାବାଳିକାମାନଙ୍କ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ତିନି ମାସ ମଧ୍ୟରେ ଆଇନ ପ୍ରଣୟନ କରିବା ପାଇଁ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ କହିଛନ୍ତି। ପ୍ରଥମଥର ପାଇଁ କୌଣସି କୋର୍ଟ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିବାରୁ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷକରି ଶିଶୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ ପ୍ରସଙ୍ଗରେ ଉତ୍ତରାଖଣ୍ଡ ହାଇକୋର୍ଟ ଏପରି ଉଦ୍ବେଗ ପ୍ରକାଶ କରିଛନ୍ତି।
ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ ଶର୍ମା ଓ ଆଲୋକ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କରଣଦୀପ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ପୋକ୍ସୋ କୋର୍ଟ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଦେଇଥିବା ରାୟ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ଅବସରରେ ଏହି ପରାମର୍ଶ ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ଜଷ୍ଟିସ ରାଜୀବ ଶର୍ମା ଓ ଆଲୋକ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କରଣଦୀପ ଶର୍ମାଙ୍କୁ ତଳକୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ମଧ୍ୟ କାଏମ ରଖିଛନ୍ତି।
ସୂଚନାଯୋଗ୍ୟ ଯେ ଶର୍ମା ଉତ୍ତରାଖଣ୍ଡର ଉଦାମସିଂହ ନଗର ଜିଲ୍ଲା ରୁଦ୍ରପୁର ଠାରେ ୨୦୧୬ ମସିହା ଜୁନ୍ ମାସରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ।ଏ ନେଇ ପୋକ୍ସୋ କୋର୍ଟରେ ମାମଲା ଚାଲିଥିଲା। କୋର୍ଟ ଶର୍ମାଙ୍କୁ ଏହି ଘୃଣ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ରାୟ ବିରୋଧରେ ଶର୍ମା ଉତ୍ତରାଖଣ୍ଡ ହାଇକୋର୍ଟରେ ଅପିଲ କରିଥିଲେ। ହାଇକୋର୍ଟର ଡିଭିଜନ ବେଞ୍ଚ ଶିଶୁମାନଙ୍କ ପ୍ରତି ଦିନକୁ ଦିନ ଯୌନ ନିର୍ଯାତନା ବୃଦ୍ଧି ପାଉଥିବାରୁ ଉଦ୍ବେଗ ପ୍ରକାଶ କରଥିଲେ। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଆଧାରରରେ କୋର୍ଟ ଉତ୍ତରାଖଣ୍ଡରେ ଶିଶୁ ଯୌନ ନିର୍ଯାତନା ଚିନ୍ତାଜନକ ଭାବେ ବୃଦ୍ଧିି ପାଉଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ। ଉତ୍ତରାଖଣ୍ଡରେ ୨୦୧୪ରେ ୪୮୯ ଶିଶୁ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିିବା ବେଳେ ୨୦୧୫ରେ ୬୩୫, ୨୦୧୬ରେ ଏହର ୬୭୬୭କୁ ବୃଦ୍ଧିି ପାଇଥିବା ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟରୁ ଜଣାପଡ଼ିିଛି। ଉତ୍ତରାଖଣ୍ଡର ଜନସଂଖା ତୁଳନାରେ ପୋକ୍ସୋ ଆଇନ୍ର ଧାରା ୪ ଓ ୬, ଆଇପିସି ଦଫା ୩୭୬ରେ ହେଉଥିବା ମାମଲା ତୁଳନାତ୍ମକ ଭାବେ ଢ଼େର ଅଧିକ ବୋଲି କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ମଧ୍ୟ ପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ଯେଉଁ ରାଜ୍ୟ ୧୨ ବର୍ଷର ଶିଶୁଙ୍କୁ ଦୁଷ୍କର୍ମ କରିଥିବା ଆମାସୀକୁ ମୃତ୍ୟୁଦଣ୍ଡ ପାଇଁ ବିଧାନସଭାରେ ଆଇନ ପ୍ରଣୟନ କରିଛି।