୨୦ ଅନୁପ୍ରବେଶ ପଥରେ ସୁରକ୍ଷା କଡ଼ାକଡ଼ି, ଏନ୍‌କାଉଣ୍ଟରରେ ପୁଣି ୨ ଆତଙ୍କବାଦୀ ନିହତ

ଜମ୍ମୁ: ପାକିସ୍ତାନ ପଟୁ ଜମ୍ମୁ କଶ୍ମୀରକୁ ଅନୁପ୍ରବେଶ ଉଦ୍ୟମ ବଢ଼ୁଥିବାରୁ ଏବଂ ଏଲ୍‌ଓସି ନିକଟରେ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଥିବାରୁ ଏ ଦିଗରେ ସୁରକ୍ଷାବାହିନୀ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜମ୍ମୁ କଶ୍ମୀରର ଭାରତ-ପାକିସ୍ତାନ ସୀମା ସଂଲଗ୍ନ ୨୦ଟି ଅନୁପ୍ରବେଶ ପଥ ସୁରକ୍ଷାବାହିନୀ ଦ୍ବାରା ଚିହ୍ନଟ କରାଯାଇଛି ଏବଂ ଏହି ଅନୁପ୍ରବେଶ ପଥ ଗୁଡ଼ିକରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୁଇନ୍ଦା ରି‌ପୋର୍ଟରୁ ଜଣାପଡ଼ିଛି ଯେ ଏଲ୍‌ଓସି ଦେଇ ୬୦ରୁ ଅଧିକ ଆତଙ୍କବାଦୀ କଶ୍ମୀର ଅନୁପ୍ରବେଶ କରିଛନ୍ତି। ଆହୁରି ଅନେକ ଆତଙ୍କବାଦୀ ମଧ୍ୟ ଅନୁପ୍ର‌ବେଶ ଅପେକ୍ଷାରେ ଅଛନ୍ତି। ୨୦ରୁ ଅଧିକ ଆତଙ୍କବାଦୀ ପିର ପଞ୍ଚଲ୍‌ ଅଞ୍ଚଳର ଦକ୍ଷିଣରେ ଅଛନ୍ତି। ତେଣୁ ଏକ ବଡ଼ ଧରଣର ଆକ୍ରମଣକୁ ଟାଳିବାପାଇଁ ସୁରକ୍ଷାବାହିନୀ ଦ୍ବାରା କଡ଼ା ପଦକ୍ଷେପ ଗ୍ରହଣ ହୋଇଛି। ଭାରତୀୟ ସ୍ଥଳ ସେନା ଏବଂ ବିଏସଏଫ୍‌ ବାଦ୍‌ ଭିଡିସି (ଭିଲେଜ୍‌ ଡିଫେନ୍ସ କମିଟି) ଏଲ୍‌ଓସି ଏବଂ ଆନ୍ତର୍ଜାତୀସ ସୀମା ନିକଟରେ କଡ଼ା ସତର୍କତା ଅବଲମ୍ବନ କରିଛନ୍ତି। ସୀମା ଅଞ୍ଚଳରେ କୌଣସି ସନ୍ଦେହଜନକ ଗତିବିଧି ଉପରେ କଡ଼ା ନଜର ରଖିବାପାଇଁ ସମସ୍ତ ଥାନା ଏବଂ ଫାଣ୍ଡିମାନଙ୍କୁ ସଚେତନ କରାଯାଇଛି।

ଉଲ୍ଲେଖଯୋଗ୍ୟ କଠୁଆ, ସାମ୍ବା, ରାଜୌରୀ, ଜମ୍ମୁ, ପୁଞ୍ଚ୍, ବାରମୁଳା, ବାନ୍ଦିପୁରା ଏବଂ କୁପୱାଡ଼ା ଜିଲ୍ଲା ସ୍ଥିତ ଏଲ୍‌ଓସି ଏବଂ ଆନ୍ତର୍ଜାତୀୟ ସୀମା ନିକଟରେ ଅନୁପ୍ରବେଶ ପଥ ଗୁଡ଼ିକୁ ଚିହ୍ନଟ କରାଯାଇଛି। ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲ ଦେଇ ପିଓକେରୁ ଜମ୍ମୁ କଶ୍ମୀରକୁ ପ୍ରବେଶ କରିବାରେ ସକ୍ଷମ ହେଉଛନ୍ତି। ଏହିସବୁ ଅନୁପ୍ରବେଶ ପଥ ଉପରେ କଡ଼ା ନଜର ରଖାଯାଇଛି।

ଶ୍ରୀନଗର: ଜମ୍ମୁ କଶ୍ମୀରର ଗନ୍ଦେରବଲ୍‌ ଜିଲ୍ଲାରେ ଆଜି ପୁଣି ଥରେ ସୁରକ୍ଷାବାହିନୀ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗନ୍ଦେରବଲ୍‌ର ତ୍ରୁଣଖଲ୍‌ ଅଞ୍ଚଳରେ ସୁରକ୍ଷାବାହିନୀ ଦ୍ବାରା ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଜଏଣ୍ଟ୍‌ ଅପରେସନ୍‌ରେ ଆଜି ପୁଣି ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ଗତ ୨୮ ତାରିଖରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଏଯାବତ୍‌ ଅପରେସନ୍‌ ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର