ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କ ହତ୍ୟା ପରେ ପୁଲିସ ପ୍ରଶାସନ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଉମେଶ ପାଲ ହତ୍ୟା ମାମଲାରେ ୟୁପି ପୁଲିସ ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ୟୁପି ପୋଲିସ ଯେଉଁ ଦୁର୍ବୃତ୍ତକୁ ଏନକାଉଣ୍ଟର କରିଛି ତା ନାମ ଅରବାଜ ଏବଂ ସେ ବାହୁବଳୀ ଆତିକ ଅହମ୍ମଦର ସହଯୋଗୀ ବୋଲି କୁହାଯାଉଛି ।
ପ୍ରୟାଗରାଜର ନେହେରୁ ପାର୍କରେ ଉତ୍ତରପ୍ରଦେଶ ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା ପୁଲିସ ଅଭିଯୁକ୍ତ ଅରବାଜକୁ ଏନକାଉଣ୍ଟର କରିଥିଲେ ।
ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ତେବେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଆତିକ୍ ଅହମ୍ମଦ ଉପରେ ବିପଦର କଳାବାଦଲ ମାଡ଼ିଆସୁଛି । ଖୋଦ୍ ଆତିକର ପତ୍ନୀ ଶାଇସ୍ତା ପରବୀନ ଆଶଙ୍କା ପ୍ରକାଶ କରିଛି ଯେ ତା ସ୍ବାମୀ ଓ ଭାଇଙ୍କୁ ପୁଲିସ ଏନକାଉଣ୍ଟର କରିପାରେ ।
ଆତିକ୍ ଅହମ୍ମଦଙ୍କୁ ହତ୍ୟା କରିବା ପାଇଁ ପ୍ରୟାଗରାଜ ପୁଲିସ କମିସନର ଏବଂ ସ୍ପେଶାଲ ଟାସ୍କ ଫୋର୍ସର ଏଡିଜି ଦାୟିତ୍ୱ ନେଇଥିବା ଅଭିଯୋଗ କରି ଶାଇସ୍ତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛି ।
ଉମେଶ ପାଲ ହତ୍ୟା ମାମଲାରେ ରୁଜୁ ହୋଇଥିବା ମାମଲାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଶାଇସ୍ତା ପରବୀନ ଦାବି କରିଛି । ପୁଲିସ ଏହି ହତ୍ୟାମାମଲାରେ ଆତିକଙ୍କ ଦୁଇ ପୁଅ ଅହଜମ ଓ ଅବନଙ୍କୁ ଅଟକ ରଖିଛି । ସେମାନଙ୍କୁ ଛାଡ଼ିବାକୁ ଶାଇସ୍ତା ଦାବି କରିଛି ।