ଅବନ୍ତିପୁରା ଏନ୍‌କାଉଣ୍ଟର: ୨ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ପୁଲୱାମା ଜିଲ୍ଲାର ଅବନ୍ତିପୁରାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟ‌‌ରେ ଗୁଳି ବିନିମୟ ହୋଇ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ୨ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଅବନ୍ତିପୁରାର ସାତପୋଖରାନ ଖ୍ରିଉ ଅଞ୍ଚଳରେ ଆତଙ୍କବାଦୀ ଥିବା ସୂଚନା ପାଇ ଆଜି ସକାଳେ ସିଆରପିଏଫ୍‌, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କାଶ୍ମୀର ପୁଲିସର ଏକ ମିଳିତ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ମିଳିତ ଟିମ୍‌ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରିଥିଲେ ଏବଂ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପ‌କ୍ଷେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଯବାନ ଏବଂ ଜମ୍ମୁ କାଶ୍ମୀର ପୁଲିସର ଜଣେ ଏସ୍‌ପିଓ ସହିଦ ହୋଇଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଗତକାଲି ମଧ୍ୟ ସୋପିଆନ୍‌ରେ ଏନ୍‌କାଉଣ୍ଟର ହୋଇ ୩ ହିଜବୁଲ୍‌ ଆତଙ୍କବାଦୀ ନିପାତ ହୋଇଥିଲେ। ତେବେ ଆଜିର ଏନ୍‌କାଉଣ୍ଟର ପରେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର