ବଡ଼ଗାମ ଏନ୍‌କାଉଣ୍ଟର, ବୁଖାରୀଙ୍କ ହତ୍ୟାକାରୀ ସମେତ ୨ ଆତଙ୍କବାଦୀ ନିହତ

୨୬/୧୧ ଆକ୍ରମଣ ମାଷ୍ଟରମାଇଣ୍ଡ୍‌ର ମୁଖ୍ୟ ସହଯୋଗୀ ଥିଲା , କସାବ୍‌ ସହ ତାଲିମ ନେଉଥିଲା

ଶ୍ରୀନଗର : ଜମ୍ମୁ କଶ୍ମୀର ବଡ଼ଗାମ୍‌ ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଏଲଇଟି ଶୀର୍ଷ କମାଣ୍ଡର ସମେତ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀକୁ ନବିଡ୍‌ ଜାଟ୍‌ ବୋଲି ଚିହ୍ନଟ କରାଯାଇଛି। ସେ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା। ନବିଡ଼ ଜାଟ୍‌ ଜଣେ ପାକିସ୍ତାନୀ ଆତଙ୍କବାଦୀ। ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ମଧ୍ୟ ବୁଖାରୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଜଣେ ଆତଙ୍କବାଦୀ ଆଜାଦ ମଲିକ ସୁରକ୍ଷାକର୍ମୀ ଗୁଳିରେ ନିହତ ହୋଇଥିଲା।

ସୂଚନାନୁଯାୟୀ ଆଜି ବଡ଼ଗାମ୍‌ ସ୍ଥିତ ଏକ ଗ୍ରାମରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ରାଜ୍ୟ ପୁଲିସ, ସେନାବାହିନୀ ଏବଂ ସ୍ବତନ୍ତ୍ର ଇଣ୍ଟେଲିଜେନ୍ସର ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ୍‌ ହୋଇଥିଲା। ଏହି ସମୟରେ ସୁରକ୍ଷା ବାହିନୀ ଗୁଳି‌ରେ ନବିଡ଼ ଜାଟ୍‌ ସମେତ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ନବିଡ଼ ଜାଟ୍‌ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ୍ ତଥା ଲସ୍କର ମୁଖ୍ୟ ଜାକି-ଉର-ରେହମାନ ଲାଖ୍‌ଭିର ମୁଖ୍ୟ ସହଯୋଗୀ ଥିଲା। ଜାଟ୍‌ ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅଜମଲ କସାବ୍‌ ଗୋଷ୍ଠୀ‌ରେ ଥିଲା। କସା‌ବ୍‌ ଯେଉଁଠି ତାଲିମ୍‌ ନେଉଥିଲା ଜାଟ୍‌ ମଧ୍ୟ ସେଠାରେ ତାଲିମ ନେଉଥିଲା। ସେ ମଧ୍ୟ ଲସ୍କର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥାନ୍ତା। ଦକ୍ଷିଣ ଏବଂ କେନ୍ଦ୍ରିୟ କଶ୍ମୀରରେ ଅନେକ ଯୁବପିଢ଼ିଙ୍କୁ ସେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରିଥିଲା ଏବଂ ଅନେକ ହତ୍ୟାକାଣ୍ଡରେ ତାର ସମ୍ପୃକ୍ତ ଥିଲା। ଜାଟ୍ ଆଜି ନିହତ ହେବା ଘଟଣା ସୁରକ୍ଷାକର୍ମୀ ପାଇଁ ଏକ ବଡ଼ ସଫଳତା କୁହାଯାଉଛି। ଜାଟ୍‌ ୨୦୧୬ ମସିହାରେ ଦକ୍ଷିଣ କଶ୍ମୀରରୁ ଗିରଫ ହୋଇଥିଲା ଏବଂ ସେ ଶ୍ରୀନଗର ସେଣ୍ଟ୍ରାଲ୍‌ ଜେଲ୍‌ରେ ଥିଲା ତେବେ ଗତ ଫେବ୍ରୁଆରିରେ ଶ୍ରୀନଗରର ଏସଏମଏଚଏସ ହସ୍ପିଟାଲ୍‌ରୁ ‌ସେ ଖସି ପଳାଇବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର