ନୂଆଦିଲ୍ଲୀ: ଗୁରୁବାର ପ୍ରତ୍ୟୁଷରେ ଦିଲ୍ଲୀରେ ପୁଲିସ ଏନକାଉଣ୍ଟରରେ ବିହାରର ଚାରି ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ ନିହତ ହୋଇଛନ୍ତି। ସେମାନେ କୁଖ୍ୟାତ ସିଗ୍‌ମା ଗ୍ୟାଙ୍ଗର ଥିଲେ ଏବଂ ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଥିଲା। ଉତ୍ତର-ପଶ୍ଚିମ ଦିଲ୍ଲୀରେ ରାତି ୨ଟା ୨୦ ସମୟରେ ଗ୍ୟାଙ୍ଗଷ୍ଟର ଏବଂ ଦିଲ୍ଲୀ ଓ ବିହାର ପୁଲିସର ଟିମ୍ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାବେଳେ ଏହି ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଚାରିଜଣ ଅଭିଯୁକ୍ତଙ୍କ ଦେହରେ ଗୁଳି ବାଜିବା ପରେ ସେମାନଙ୍କୁ ରୋହିଣୀର ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ଏହି ଗ୍ୟାଙ୍ଗଷ୍ଟରମାନେ ହେଲେ ରଞ୍ଜନ ପାଠକ (୨୫), ବିମଳେଶ ମାହାତୋ (୨୫), ମନିଷ ପାଠକ (୩୩) ଓ ଅମନ ଠାକୁର (୨୧ ବର୍ଷ)। ରଞ୍ଜନ ପାଠକ ସେମାନଙ୍କ ନେତା ଥିଲା। ବର୍ଷ ବର୍ଷ ଧରି ସିଗ୍‌ମା ଗ୍ୟାଙ୍ଗ ସମଗ୍ର ବିହାରରେ ଚୋରାଚାଲାଣ ଓ ଚୁକ୍ତିଭିତ୍ତିକ ହତ୍ୟାକାଣ୍ଡରେ ଜଡିତ ଏକ ବିଶାଳ ନେଟୱର୍କ ଗଠନ କରିଥିଲା। ପାଠକ ଉପରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ ବିହାରର ସୀତାମଢ଼ି ଓ ଏହାର ଆଖପାଖ ଜିଲ୍ଲାରେ ପାଞ୍ଚଟି ହାଇପ୍ରୋଫାଇଲ୍ ହତ୍ୟା ସମେତ ଆଠଟି ଆପରାଧିକ ମାମଲାରେ ଜଡ଼ିତ ଥିଲା। ପାଠକ ସୋସିଆଲ ମିଡିଆ ଓ ଅଡିଓ ବାର୍ତ୍ତା ମାଧ୍ୟମରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲା। ନିକଟରେ ଉଦ୍ଧାର ହୋଇଥିବା ଏକ ଅଡିଓ କ୍ଲିପ୍‌ରୁ ବିହାର ନିର୍ବାଚନ ପୂର୍ବରୁ ଏହି ଗ୍ୟାଙ୍ଗ ରଚନା କରିଥିବା ପ୍ରମୁଖ ଷଡଯନ୍ତ୍ରର ସବିଶେଷ ତଥ୍ୟ ପ୍ରକାଶ ପାଇଛି।

ଗତ କିଛି ମାସ ମଧ୍ୟରେ ଏହି ଗ୍ୟାଙ୍ଗ ଜଣେ ସାମ୍ବାଦିକଙ୍କ ହତ୍ୟା ସମେତ ଅନେକ ହତ୍ୟାକାଣ୍ଡ ଘଟାଇଥିଲା। ସିଗ୍ମା ଗ୍ୟାଙ୍ଗ ପ୍ରାୟ ସାତ ବର୍ଷ ଧରି ସକ୍ରିୟ ଥିଲା ଏବଂ ବିହାରରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ଏଡାଇବା ପାଇଁ ଦିଲ୍ଲୀରେ ଆଡ଼ା ଜମାଇଥିଲା। ଅପରେସନ୍ ପୂର୍ବରୁ ପୁଲିସ ଅନେକ ଦିନ ଧରି ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଏନକାଉଣ୍ଟର ପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା ଏବଂ ପ୍ରମାଣ ସଂଗ୍ରହ କରିବାକୁ ଫୋରେନସିକ୍ ଦଳକୁ ଡକାଯାଇଥିଲା। ଗ୍ୟାଙ୍ଗର ଅବଶିଷ୍ଟ ନେଟୱାର୍କ ଓ ସେମାନଙ୍କର ସମ୍ଭାବ୍ୟ ଲିଙ୍କ୍ ଖୋଜିବା ପାଇଁ ଅନୁସନ୍ଧାନ ଚାଲିଛି।