ଜମ୍ମୁରେ ଏନ୍‌କାଉଣ୍ଟର, ୩ ଆତଙ୍କବାଦୀ ନିପାତ

ଜମ୍ମୁ: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଏକ ଟୋଲ୍‌ ପ୍ଲାଜା ନିକଟରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏନ୍‌କାଉଣ୍ଟରରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଆଜି ଭୋର୍‌ ୫ଟା ବେଳେ ଏକ ପୁଲିସ ଟିମ୍ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ନା‌ଗରୋଟା ଟୋଲ୍‌ ପୋଷ୍ଟ୍‌ ନିକଟ‌ରେ ଗାଡ଼ି ମୋଟର ଯାଞ୍ଚ କରୁଥିଲେ। ଏକ ଟ୍ରକ୍‌କୁ ଯାଞ୍ଚ କରିବା ସମୟରେ ଟ୍ରକ୍‌ ଭିତରେ ଥିବା ୩ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥି‌ଲେ। ସୁରକ୍ଷାକର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏମା‌ନେ ସମସ୍ତେ ଜେଇଏମ୍‌ର ବୋଲି ଜଣାପଡ଼ିଛି। ଉକ୍ତ ୩ ଆତଙ୍କବାଦୀ ଗତକାଲି ସନ୍ଧ୍ୟାରେ କଠୁଆ ଜିଲ୍ଲାର ହୀରାନଗର ସେକ୍ଟର ଦେଇ ଦୟଲାଚକ୍‌ ଅଞ୍ଚଳକୁ ଅନୁପ୍ରବେଶ କରିଥିବା ଅନୁମାନ କରାଯାଉଛି। ସେମାନେ ଟ୍ରକ୍‌ରେ ଲୁଚି ଶ୍ରୀନଗର ଅଭିମୁଖେ ଯାଉଥିଲେ ବୋଲି ଜମ୍ମୁ କାଶ୍ମୀର ପୁଲିସ ଡିଜି ଦିଲ୍‌ବାଗ ସିଂହ କହିଛନ୍ତି। କିନ୍ତୁ ବିଏସଏଫ୍‌ ପକ୍ଷରୁ ଏହି ଦାବିକୁ ଖଣ୍ଡନ କରାଯାଇଛି। ଦୟଲାଚକ୍‌ରୁ କୌଣସି ଅନୁପ୍ରବେଶ ହୋଇନାହିଁ ବୋଲି ବିଏସଏଫ୍‌ ଜମ୍ମୁ ଫ୍ରଣ୍ଟିୟର ଇନ୍ସପେକ୍ଟର ଜେନେରାଲ ଏନ୍‌ଲଏସ ଜମ୍‌ୱାଲ୍‌ କହିଛନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଶ୍ରୀନଗର ଅଭିମୁଖେ ଯାଉଥିବା ଏହି ଟ୍ରକ୍‌ର ଡ୍ରାଇଭର ସଲିମ ଦାର୍‌ ପୁଲ୍‌ୱାମା ଆକ୍ରମଣରେ ସମ୍ପୃକ୍ତ ଥିଲା। ପୁଲୱାମା ଆତ୍ମଘାତୀ ଆକ୍ରମଣ କରିଥିବା ଆଦିଲ ଦାର୍‌ର ସମ୍ପର୍କୀୟ ଭାଇ ହେଉଛି ସଲିମ ଦାର୍‌। ନିହାତ ଆତଙ୍କବାଦୀଙ୍କଠାରୁ ଏକେ ୪୭, ଆମେରିକୀୟ ନିର୍ମିତ ସ୍ନାଇପର ରାଇଫଲ୍‌, ୫ଟି ପିସ୍ତଲ ଏବଂ ୨ ଡଜନରୁ ଅଧିକ ହ୍ୟାଣ୍ଡ ଗ୍ରେନେଡ୍‌ ଜବତ କରାଯାଇଛି।

ସମ୍ବନ୍ଧିତ ଖବର